ସ୍ତ୍ରୀଙ୍କୁ ମାର୍‌ପିଟ୍‌ ସହ ନିର୍ଯାତନା, ଅଡୁଆରେ ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା 

ମୋଟିଭେସନାଲ ସ୍ପିକର୍‌, ୟୁଟ୍ୟୁବ୍‌ କଣ୍ଟେଣ୍ଟ କ୍ରିଏଟର ତଥା ସୋସିଆଲ ମିଡିଆରେ ବ୍ୟବସାୟ କୋଚ୍‌ ଭାବେ ପରିଚିତ ବିବେକ ବିନ୍ଦ୍ରାଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆସିଛି। ବିବାହର ମାସେ ନ ପୁରୁଣୁ ସେ ସ୍ତ୍ରୀ ୟାନିକାଙ୍କୁ ମାର୍‌ପିଟ ସହ ନିର୍ଯାତନା ଦେଉଥିବା ନେଇ ନୋଏଡାର ସେକ୍ଟର ୧୨୬ ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ୨୦୨୩ ଡିସେମ୍ବର ୬ ତାରିଖରେ ୟାନିକାଙ୍କୁ ଲଲିତ ମାନଗର ହୋଟେଲରେ ବିବାହ କରିଥିଲେ ବିବେକ ବିନ୍ଦ୍ରା । ବିବାହ ପରେ ନବବିବାହିତ ଯୋଡ଼ି ନୋଏଡାର ସେକ୍ଟର ୯୪ରେ ଥିବା ସୁପରନୋଭା ୱେଷ୍ଟ ରେସିଡେନ୍ସିରେ ରହିବାକୁ ଆସିଥିଲେ। ବିବାହ ପରଦିନ ଅର୍ଥାତ ଡିସେମ୍ବର ୭ ତାରିଖ ସକାଳେ ବିନ୍ଦ୍ରା ଏବଂ ତାଙ୍କ ମା’ ପ୍ରଭାଙ୍କ ମଧ୍ୟରେ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ୟାନିକା ବୁଝାସୁଝା କରିବାକୁ ଯାଇଥିଲେ। କିନ୍ତୁ ବିନ୍ଦ୍ରା ରାଗିଯାଇ ତାଙ୍କୁ ଏକ କୋଠରୀରେ ବନ୍ଦ କରି ଗାଳି ଦେବା ସହ ମାର୍‌ପିଟ୍‌ କରିଥିଲେ। ଏଥିରେ ତାଙ୍କୁ ଏତେ ଜୋରରେ ଆଘାତ ଲାଗିଛି ଯେ, ସେ ଠିକଭାବେ ଶୁଣିପାରୁ ନାହାନ୍ତି।

ପରବର୍ତ୍ତୀ ସମୟରେ ଗତ ୧୪ ତାରିଖରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।ନୋଏଡା ଥାନା ପୋଲିସ ମାମଲାର ତଦନ୍ତ କରୁଥିବା ବେଳେ ତାଙ୍କ ବିରୋଧରେ IPC ଧାରା ୩୨୩, ୫୦୪, ୪୨୭, ୩୨୫ରେ ମାମଲା ରୁଜୁ ହୋଇଛି ।ବିବେକ ତାଙ୍କ ପତ୍ନୀଙ୍କୁ ମାରୁଥିବା ନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।