ସ୍ତ୍ରୀ ଦେଲେ ସ୍ବାମୀଙ୍କୁ ନୂଆ ଜୀବନ । ପ୍ରଥମ ଥର ପାଇଁ ହେଲା ଯକୃତ ପ୍ରତିରୋପଣ ।

ରାଜ୍ୟ ଚିକିତ୍ସା ବିଜ୍ଞାନରେ ନୂଆ ଇତିହାସ ଯୋଡିଛି ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ। ସମଗ୍ର ପୂର୍ବ ଭାରତରେ ସରକାରୀ ବ୍ୟବସ୍ଥାରେ ସଂପୂର୍ଣ୍ଣ ମାଗଣାରେ ଲିଭର ପ୍ରତିରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରଥମ ବୋଲି କୁହାଯାଉଛି। ତିଗିରିଆର ଜଣେ ରୋଗୀଙ୍କଠାରେ ସଫଳତାର ସହ ଲିଭର ପ୍ରତିରୋପଣ ହୋଇଛି । ତିଗିରିଆର ଏହି ୪୫ ବର୍ଷୀୟ ବ୍ୟକ୍ତିଙ୍କର ଦୀର୍ଘ ୬ ବର୍ଷ ହେଲା ଲିଭର ସମସ୍ୟା ରହିଥିଲା । ବଞ୍ଚିବା ପାଇଁ ତାଙ୍କ ଲିଭର ପ୍ରତିରୋପଣ ନିହାତି ଆବଶ୍ୟକ ଥିଲା । ସେ ଦେଢମାସ ହେବ ଏସସିବିରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଏସସିବିରେ ଲିଭର ପ୍ରତିରୋପଣ ପାଇଁ ନିଷ୍ପତି ନିଆଯାଇଥିଲା ।

ତାଙ୍କ ପତ୍ନୀ ଲିଭର ଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ ।ସ୍ତ୍ରୀଙ୍କର ଲିଭର ସ୍ବାମୀଙ୍କ ଶରୀରରେ ସଫଳତାର ସହ ପ୍ରତିରୋପିତ ହୋଇଛି। ଲିଭର ପ୍ରତିରୋପଣ ପରେ ଭଭୟ ସ୍ବାମୀ-ସ୍ତ୍ରୀ ସୁସ୍ଥ ଥିବା କୁହାଯାଉଛି। ଉଭୟଙ୍କୁ କିନ୍ତୁ ଅନୁଧ୍ୟାନ ପାଇଁ ଆଇସିୟୁରେ ରଖାଯାଇଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଗତକାଲିଠାରୁ ହାଇଦ୍ରାବାଦ୍‌ସ୍ଥିତ ଏଆଇଜିର ଟିମ୍‌ ଓ ଏସ୍‌ସିବିର ଡାକ୍ତରମାନଙ୍କ ମିଳିତ ଉଦ୍ୟମରେ ଏହି ପ୍ରତିରୋପଣ ସମ୍ଭବ ହୋଇପାରିଛି। ଦୀର୍ଘ ୧୨ବର୍ଷ ଧରି ଲିଭର ପ୍ରତିରୋପଣ କ୍ଷେତ୍ରରେ ଯେଉଁ ଅନିଶ୍ଚିତତା ଲାଗି ରହିଥିଲା ତାହାର ଅନ୍ତ ଘଟିଛି।