ସ୍ୱାମୀକୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେଇଥିଲା ସ୍ତ୍ରୀ
ଘରୋଇ କଳହକୁ ନେଇ ସ୍ୱାମୀକୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲା ସ୍ତ୍ରୀ। ହତ୍ୟା କରିବା ପରେ ଗିରଫ ଭୟରେ ସ୍ତ୍ରୀ ରଚିଥିଲା ଷଡ଼ଯନ୍ତ୍ର । ଜଣେ ପୁରୁଷ ସହଯୋଗୀ ସହ ମିଶି ଆତ୍ମହତ୍ୟାର ରୂପ ଦେବାକୁ କରିଥିଲା ପ୍ଲାନ । ତଦନ୍ତ ପରେ ସ୍ତ୍ରୀର ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କଲା ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଢେଙ୍ଗୁରପାଣି ଗ୍ରାମ ତୁରୀଟୋଲି ଅଞ୍ଚଳରେ ।ଗତ ରାକ୍ଷୀ ପୂର୍ଣ୍ଣିମାରେ ମାଛ ତରକାରୀକୁ ନେଇ ସ୍ୱାମୀ ବାବୁଲାଲ ଲାକ୍ରା ଏବଂ ସ୍ତ୍ରୀ ସିଂଘିଙ୍କ ମଧ୍ୟରେ ଝଗଡା ହୋଇଥିଲା । ସ୍ୱାମୀ ମଦ ପିଇ ଖାଇବା ଥାଳିକୁ ଲାତ ମାରିବା ସହ ସିଂଘିଙ୍କୁ ଏକ ବାଡ଼ିରେ ପିଟିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ସିଂଘି ଘରେ ପଡିଥିବା ଏକ ଫାର୍ସାର ପଛ ପଟୁ ସ୍ୱାମୀଙ୍କ ମୁଣ୍ଡକୁ ଆଘାତ କରିଥିଲେ । ଫଳରେ ବାବୁଲାଲ ଅଚେତ ହୋଇ ପଡି ଯାଇଥିଲେ । ସ୍ୱାମୀ ମରି ଯାଇଥିବା ଭାବି ସିଂଘି ଅନ୍ୟ ଜଣେ ପୁରୁଷ ସହଯୋଗୀ କୁନ୍ଦ ସହ ମିଶି ସ୍ୱାମୀଙ୍କ ବେକରେ ରଶି ଲଗାଇ ରାତିରେ ଘର ବାହାରେ ଥିବା ଏକ ଆମ୍ବ ଗଛରେ ଟାଙ୍ଗି ଦେଇ ଆତ୍ମହତ୍ୟାର ରୂପ ଦେଇଥିଲେ ।ଅଗଷ୍ଟ ୧୦ ତାରିଖରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
ପରବର୍ତ୍ତୀ ସମୟରେ ମୃତ ବାବୁଲାଲଙ୍କ ଝିଅ ଓ ଜ୍ୱାଇଁଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରିଥିଲା। ଏହି ଘଟଣାରେ ଅଭିଯୁକ୍ତ ସ୍ତ୍ରୀ ସିଂଘି ନିଜ ଦୋଷ ସ୍ୱୀକାର କରିଥିଲା। ଘଟଣା ସ୍ଥଳରେ ପୁଲିସ ସିନ୍ ରିକ୍ରିଏସନ କରିଥିଲା। ହତ୍ୟାକାଣ୍ଡରେ ବ୍ୟବହୃତ ଫାର୍ସା ଓ ରଶିକୁ ଜବତ କରିବା ସହ ଅଭିଯୁକ୍ତ ସ୍ତ୍ରୀ ସିଂଘିକୁ ଗିରଫ କରି କୋର୍ଟ ଚାଲାଣ କରିଛି।
