ହଜିଗଲାଣି ପୁରୁଣା ସ୍ମୃତି.. ଗ୍ରୀଟିଙ୍ଗସ କାର୍ଡ ବଦଳରେ ଏବେ ମୋବାଇଲରେ ଶୁଭେଚ୍ଛା ବାର୍ତ୍ତା
ସତୁରୀ ଦଶକର ଶେଷ ଏବଂ ଅଶୀ ଦଶକର ଆରମ୍ଭରୁ ହୋଇଥିଲା ଗ୍ରୀଟିଙ୍ଗସ ଯୁଗ । ୯୦ ଦଶକରେ ଏହା ଯେମିତି ଟ୍ରେଣ୍ଡ୍ ପାଲଟିଯାଇଥିଲା । ସ୍କୁଲ, କଲେଜ ପିଲା ଗ୍ରୀଟିଙ୍ଗସ୍ କାର୍ଡ କିଣିବାକୁ ବ୍ୟାକୁଳ ହୋଇଯାଉଥିଲେ । ଖାଲି ସେତିକି ନୁହେଁ, ନୂଆ ବର୍ଷରେ ମନର ଭାବକୁ ପ୍ରକାଶ କରିବା ପାଇଁ ଏହି କାର୍ଡ ହିଁ ସାଜିଥିଲା ସୂତ୍ରଧର । କିନ୍ତୁ ଆଜି କାଲିକା ନୂଆବର୍ଷ ଏମିତି ଭାବନାଠାରୁ ଟିକେ ଭିନ୍ନ ।ଡିଜିଟାଲ ଯୁଗରେ ମୋବାଇଲକୁ ମୋବାଇଲ, ସୋସିଆଲ ମିଡ଼ିଆରେ ଶୁଭେଚ୍ଛା ବାର୍ତ୍ତା ପଠା ଯାଉଛି । ଗ୍ରୀଟିଙ୍ଗସ କହିଲେ କେତେ ଯେ ରଙ୍ଗ ବେରଙ୍ଗର କାଗଜର ଫର୍ଦ ଆଖିଆଗକୁ ଚାଲି ଆସେ। ହେଲେ ଏବେ ଯୁବପୀଢ଼ିମାନେ ଆଧୁନିକତା ଆଡକୁ ମୁହାଁଉଛନ୍ତି । ନବବର୍ଷରେ ଆଉ ଦେଖିବାକୁ ମିଳୁନି ଗ୍ରୀଟିଙ୍ଗସ୍ କାର୍ଡ ଆଦାନ ପ୍ରଦାନ । ଏବେ ନବବର୍ଷକୁ କେକ୍ କାଟି ସ୍ୱାଗତ କରାଯାଉଛି । କିଏ ଫୋନ ମାଧ୍ୟମରେ ଶୁଭେଚ୍ଛାବାର୍ତ୍ତା ଜଁଣାଉଛି, କିଏ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଉଛି । କିନ୍ତୁ କମ ପଇସାର ଗ୍ରୀଟିଙ୍ଗସ କାର୍ଡ ଆଉ ସେଥିରେ ଲେଖାଥିବା ଅଭିନନ୍ଦନ ବାର୍ତ୍ତା ଆଜି ସାତ ସପନ ପାଲଟି ଯାଇଛି ।ମାତ୍ର ଦିନ ଥିଲା ନୂଆବର୍ଷର ପ୍ରାୟ ମାସକ ଆଗରୁ ଗ୍ରୀଟିଙ୍ଗସ ଦୋକାନ ବସୁଥିଲା । ଫିଲ୍ମ ନାୟକ, ନାୟିକାଙ୍କ ଫଟୋ ଥିବା ଗ୍ରୀଟିଙ୍ଗସ୍ କାର୍ଡରୁ ଆରମ୍ଭ କରି ଥାକ ଥାକ ହୋଇ ଖୋଲୁଥିବା ଫୁଲ ଫଟୋର ଗ୍ରୀଟିଙ୍ଗସ କାର୍ଡ ଚାହିଦା କାହିଁରେ କେତେ । କାହା ପାଇଁ କେଉଁ ଗ୍ରୀଟିଙ୍ଗସ୍ କାର୍ଡ କିଣାହେବ, ସେଥିପାଇଁ ଆଗୁଆ ପ୍ରସ୍ତୁତି ହେଉଥିଲା । ଏହି କାର୍ଡକୁ ପୁଣି କେତେ ଯୁବପିଢ଼ି ସାଇତି ରଖୁଥିଲେ ବହି, ଖାତା ଥାକରେ । କିନ୍ତୁ ଆଜିକାଲି କାର୍ଡ ଦେଖିବା କଷ୍ଟକର ।ପୂର୍ବରୁ ଏଇ ଶୁଭେଚ୍ଛା ବାର୍ତ୍ତା ଏବେ ଅବଶ୍ୟ ଫୋନ ମାଧ୍ୟମରେ ଆସୁଛି । ଯଦିଓ ସେଦିନର ଭାବ ଓ ଆବେଗ ସେଥିରେ ନାହିଁ ତଥାପି ପରମ୍ପରା ବଜାୟ ରଖିଛି । ଏବେ ଗୋଟେ ସ୍ଥାନରେ ଏକାଠି ହୋଇ ନବବର୍ଷ ପାଳନ କରିବାର ଦୃଶ୍ୟ ଆଉ ଦେଖିବାକୁ ମିଳୁନାହିଁ । ତା ବଦଳରେ ନବବର୍ଷରେ ବନ୍ଧୁମିଳନ କାର୍ଯ୍ୟକ୍ରମ ପାଳିବା ନାଁରେ କେକ କାଟିବା, ମିଠା ଖୁଆଇବା ଏବଂ ପୁଷ୍ପ ଗୁଚ୍ଛ ଦେବା ଯାହା ଏବେ ଏକ ନୂଆ ଟ୍ରେଣ୍ଡ ପାଲଟି ଯାଇଛି ।
