ହର୍ମୁଜ୍‌ ପ୍ରଣାଳୀରେ ୩ ଜାହାଜ ଉପରେ ଆକ୍ରମଣ, ୩ କ୍ରୁ ସଦସ୍ୟ ନିଖୋଜ

ମଧ୍ୟପ୍ରାଚ୍ୟରେ ଲଢ଼େଇ ଭୟଙ୍କର ହୋଇଛି। ଯୁଦ୍ଧ ଆଜି ଦ୍ବାଦଶ ଦିନରେ ପହଞ୍ଚିଥିବା ବେଳେ ରଣନୈତିକ ଭାବେ ଗୁରୁତ୍ବପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀରେ ଆଜି ୩ଟି ଜାହାଜ ଉପରେ ଅଜଣା ପ୍ରୋଜେକ୍ଟାଇଲ ଦ୍ବାରା ଆକ୍ରମଣ ହୋଇଛି। ଏଥି ମଧ୍ୟରୁ ଭାରତ ଆସୁଥିବା ଏକ ଥାଇ କା‌ର୍ଗୋ ଜାହାଜ ଉପରେ ଆକ୍ରମଣ ହେବାପରେ ଜାହାଜରେ ନିଆଁ ଲାଗିଯାଇଛି। ଜାହାଜରୁ ୨୦ ଜଣ କ୍ରୁ ସଦସ୍ୟଙ୍କୁ ଓମାନ ନୌସେନା ଉଦ୍ଧାର କରିଥିବାବେଳେ ଆଉ ୩ ଜଣ କ୍ରୁ ସଦସ୍ୟ ନିଖୋଜ ଅଛନ୍ତି। ନିଖୋଜ କ୍ରୁ ସଦସ୍ୟଙ୍କୁ ଖୋଜିବା ପାଇଁ ଉଦ୍ଧାର ଅପରେସନ୍‌ ଜାରି ରହିଛି ବୋଲି ଥାଇଲାଣ୍ଡ ମନ୍ତ୍ରାଳୟ କହିଛି। ଅନ୍ୟପଟେ ଆମେରିକା ନୌସେନା ହର୍ମୁଜ ପ୍ରଣାଳୀକୁ ସୁରକ୍ଷା ଦେବା ଆରମ୍ଭ କରିଛି । ଆମେରିକା ନୌସେନାର ସୁରକ୍ଷା ବଳୟ ଭିତରେ କିଛି ତେଲ ଟ୍ୟାଙ୍କର ଆସିଛି । ଫଳରେ ତୈଳ ଦର ୧୫ ପ୍ରତିଶତ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ରୁ ୧୨୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଦୁନିଆର ପ୍ରାୟ ୨୦% ତୈଳ ପରିବହନ ହୋଇଥାଏ । ବ୍ରେଣ୍ଟ ଅଶୋଧିତ ତୈଳ ଦର ୯୦ ଡଲାରରୁ କମି ଏବେ ୮୦ ରୁ ୮୭ ଡଲାର ପାଖାପାଖି ପହଞ୍ଚିଛି । ଅନ୍ୟପଟେ ଆମେରିକାର ଧମକ ସତ୍ତ୍ବେ ଆଜି ୩ଟି ତୈଳ ଟ୍ୟାଙ୍କର ଉପରେ ରକେଟ୍ ମାଡ଼ ହୋଇଛି । ଏଥିରେ ଗୋଟିଏ କାର୍ଗୋ ଜାହାଜରେ ନିଆଁ ଲାଗି ଯାଇଥିଲା । ପରେ ନିଆଁକୁ ଅୟତ୍ତ କରାଯାଇଥିଲା ।