ହଲିଉଡ୍ ଅଭିନେତା କ୍ରିଷ୍ଟିଆନ ଓଲିଭରଙ୍କ ମୃତ୍ୟୁ।

ହଲିଉଡ୍‌ ପାଇଁ ଦୁଃଖଦ ଖବର । ଅଭିନେତା କ୍ରିଷ୍ଟ୍ରିଆନ୍‌ ଓଲିଭର ଏବଂ ତାଙ୍କ ଦୁଇ ଝିଅଙ୍କର ଅକାଳ ବିୟୋଗ ହୋଇଯାଇଛି । ଏକ ବିମାନ ଦୁର୍ଘଟଣାରେ ଏହି ଜଣାଶୁଣା ଅଭିନେତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ କ୍ରିଷ୍ଟ୍ରିଆନ୍‌ ଓଲିଭରଙ୍କୁ ୫୧ ବର୍ଷ ବୟସ ହୋଇଥିଲା । ପୋଲିସର ସୂଚନାନୁସାରେ ବିମାନଟି ସେଣ୍ଟ ଲୁସିଆ ଅଭିମୁଖେ ଯାଉଥିବା ବେଳେ ବେକିଆ ନିକଟ ପେଟିଟ ନେଭିସ ଦ୍ୱୀପର ପଶ୍ଚିମ ଦିଗରେ ଗୁରୁବାର ଏହି ଦୁର୍ଘଟଣା ଘଟିଛି।ତାଙ୍କ ସହ ତାଙ୍କର ଦୁଇ ଝିଅଙ୍କର ମଧ୍ୟ ମୃତ୍ୟୁ ଘଟିଛି।କାରିବିଆନ୍ ସମୁଦ୍ର ଅଂଚଳରେ୍ ତାଙ୍କର ବିମାନ ସମୁଦ୍ର ଗର୍ଭକୁ ଖସି ପଡିଥିଲା। ବିମାନ ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ମଧ୍ୟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୋଟିଏ ଇଂଜିନ ବିଶିଷ୍ଟ ଏକ ଛୋଟ ଘରୋଇ ବିମାନରେ ଯାତ୍ରା କରୁଥିଲେ ଓଲିଭର। କୌଣସି ତ୍ରୁଟିରୁ ବିମାନଟି ସମୁଦ୍ରକୁ ଖସି ପଡିଥିଲା। ବିମାନ ଖସିବା ପରେ ଦୁର୍ଘଟଣାସ୍ଥଳରୁ ସ୍ଥାନୀୟ ମତ୍ସ୍ୟଜୀବୀ, ପୋଲିସ ଏବଂ କୋଷ୍ଟଗାର୍ଡ ସହାୟତାରେ ୪ ମୃତଦେହ ଉଦ୍ଧାର କରାଯାଇଥିଲା।ମୃତକଙ୍କ ମଧ୍ୟରେ ୫୧ ବର୍ଷୀୟ ହଲିଉଡ୍‌ ଅଭିନେତା ଓଲିଭର, ତାଙ୍କ ଦୁଇ ଝିଅ ମଦିତା (୧୦ବର୍ଷ), ଏନିକ (୧୨ବର୍ଷ), ପାଇଲଟ ରବର୍ଟ ସୈକ୍ସ ରହିଛନ୍ତି ।

ନୂତନ ବର୍ଷ ଅବସରରେ ଓଲିଭର କିଛି ଦିନ ତଳେ ଏକ ସମୁଦ୍ରକୂଳରେ ବସିଥିବାର ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ଆଉ ଏଥିରେ ସମସ୍ତଙ୍କୁ ନୂଆବର୍ଷ ୨୦୨୪ର ଶୁଭେଚ୍ଛା ଜଣାଇଥିଲେ ।ଜର୍ମାନ ଜନ୍ମିତ ଅଭିନେତା ଡଜନେରୁ ଅଧିକ ଖ୍ୟାତନାମା ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶୋ’ରେ ଅଭିନୟ କରିଛନ୍ତି। ଯେଉଁଥିରେ ୨୦୦୮ର ମୁଭି ‘ସ୍ପିଡ ରେସର୍‌’ ଏବଂ ‘ଦି ଗୁଡ ଜର୍ମାନ’ ଅନ୍ତର୍ଭୁକ୍ତ। ସେ ୧୯୯୦ ଦଶକର ଧାରାବାହିକ ‘ସେଭ୍ଡ ବାୟ ଦି ବେଲ: ଦି ନ୍ୟୁ କ୍ଲାସ’ ର ଏକ ସିଜନ ପାଇଁ ବ୍ରାଏନ କେଲର୍‌ ନାମକ ଏକ ସ୍ବିସ ଟ୍ରାନ୍ସଫର ଛାତ୍ର ଭୂମିକାରେ ଅଭିନୟ କରିଥିଲେ।