ହଷ୍ଟେଲରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟକର୍ମୀ

ହଷ୍ଟେଲରେ ରହୁଥିବା ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର ଆପଣାଇଛନ୍ତି ନୂଆ ପଦକ୍ଷେପ। ଏବେ ରାଜ୍ୟର ସମସ୍ତ ସରକାରୀ ହଷ୍ଟେଲରେ ଅକ୍ସିଲିଆରି ନର୍ସ ଆଣ୍ଡ୍‌ ମିଡ୍‌ୱାଇଫ୍‌ (ଏଏନ୍‌ଏମ୍‌) କିମ୍ବା ମହିଳା ବହୁମୁଖୀ ହେଲ୍‌ଥ ୱାର୍କର ନିୟୋଜିତ ହେବେ । ହଷ୍ଟେଲ ପିଲାଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ପ୍ରତି ୩୦୦ ପିଲାଙ୍କ ପାଇଁ ଜଣେ ଲେଖାଏଁ ଏଏନ୍‌ଏମ୍‌ ନିଯୁକ୍ତି କରାଯିବ । ଗତ ଅଗଷ୍ଟ ୨୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ସୁପାରିସ ହୋଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖାଯାଇଛି।ସ୍ୱାସ୍ଥ୍ୟ ବିଭାଗ ଗଣଶିକ୍ଷା ବିଭାଗ ସହ ଆଲୋଚନା କରି ନିଯୁକ୍ତି ଦେବ । ଏପରିକି ଆବଶ୍ୟକ ସ୍ଥଳେ ଏଥିରେ ବିଳମ୍ବ ହେଲେ ବିଭାଗ ପକ୍ଷରୁ ଅବସରପ୍ରାପ୍ତ ଏଏନ୍‌ଏମ୍‌ଙ୍କୁ ଅର୍ଥ ବିଭାଗର ନିୟମ ଅନୁଯାୟୀ ନିଯୁକ୍ତି ଦେବେ ।