୧୦୦କିଲୋମିଟର ବାଇକରେ ଯାଇ ଗଙ୍ଗା ନଦୀକୁ ଡେଇଁଲେ ଦମ୍ପତି

କରଜ କାରଣରୁ ଚିନ୍ତିତ ରହି ଉତ୍ତର ପ୍ରଦେଶର ସହାରନପୁରରେ ଜଣେ ଯୁବ ବ୍ୟବସାୟୀ ନିଜ ପତ୍ନୀଙ୍କ ସହ ସୋମବାର ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରି ଥିବା ଖବର ମିଳିଛି । ୩୫ ବର୍ଷୀୟ ସୌରଭ ଓ ତାଙ୍କ ପତ୍ନୀ ମୋନା ହାଥୀପୁଲରେ ନଦୀକୁ ଡେଇଁବା ପୂର୍ବରୁ ସେଲଫି ନେବା ପରେ ଫଟୋକୁ ନିଜ ପରିବାର ସଦସ୍ୟଙ୍କ ନିକଟକୁ ଶେୟାର କରିଥିଲେ । ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି। ଦମ୍ପତିଙ୍କର ଦୁଇଟି ସନ୍ତାନ ଥିବା ସାମ୍ନାକୁ ଆସିଛି।ସୂଚନା ଥାଉକି, ସୌରଭ ଜଣେ ସୁନା ବେପାରୀ ହୋଇଥିବା ବେଳେ ୧୮ ବର୍ଷ ତଳେ ମୌନାଙ୍କୁ ବିବାହ କରିଥିଲେ। ଉଭୟଙ୍କ ସଂସାର ବେଶ୍‌ ହସଖୁସିରେ ଚାଲିଥିବା ବେଳେ ସେମାନଙ୍କ ଏକ ୧୨ ବର୍ଷୀୟା ଝିଅ ଓ ୭ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଅଛନ୍ତି। ଗତ କିଛି ବର୍ଷ ହେବ ସୌରଭଙ୍କ ବେପାରରେ କ୍ଷତି ହେଉଥିବାରୁ ସେ କୋଟି କୋଟି ଟଙ୍କା ଧାରକରଜରେ ବୁଡ଼ି ଯାଇଥିଲେ । ଏପରିକି କରଜ ଟଙ୍କାର ସୁଧ ବି ପରିଶୋଧ କରି ପାରୁ ନଥିଲେ ।

ଏହାକୁ ନେଇ ଋଣଦାତାମାନେ ତାଙ୍କୁ ବାରମ୍ବାର ଅପମାନିତ କରୁଥିଲେ । ଏନେଇ ସେ ନିଜ ପତ୍ନୀଙ୍କୁ ଜଣାଇବା ପରେ ଉଭୟ ଏମିତି କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟେ ବାଇକ୍ ଯୋଗେ ପ୍ରାୟ ୧୦୦କିଲୋମିଟର ଦୂରତା ଅତିକ୍ରମ କରି ହରିଦ୍ୱାରରେ ପହଞ୍ଚିଥିଲେ, ଏବଂ ଶେଷ ଥର ପାଇଁ ଏକ ସେଲଫି ନେଇଥିଲେ। ପରେ ନିଜ ବନ୍ଧୁଙ୍କ ହ୍ବାଟସ୍ଆପକୁ ସେଲଫି ସହିତ ଆତ୍ମହତ୍ୟା ନୋଟ ପଠାଇଥିଲେ। ଏହା କରିବା ପରେ ଦୁହେଁ ଗଙ୍ଗା ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି। ମୋନାଙ୍କ ମୃତଦେହ ଖୋଜା ଚାଲିଥିବା ବେଳେ ସୌରଭଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଅଗଷ୍ଟ ୧୦ରେ ଦୁହେଁ ଜୀବନ ହାରିଥିବା ବେଳେ ୧୨ରେ ସୌରଭଙ୍କ ମୃତଦେହ ମିଳିଥିଲା। ହେଲେ ଏପର୍ଯ୍ୟନ୍ତ ମୋନାଙ୍କ ମୃତଦେହ ମିଳିପାରିନାହିଁ।