୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଓଡ଼ିଶା ଦେଖିଥିଲା ମହାବାତ୍ୟା

ଓଡ଼ିଶାର ଉପକୂଳରେ ୧୯୯୯ ମସିହା ଅକ୍ଟୋବର ୨୮, ୨୯ ଓ ୩୦ ତିନି ଦିନ ଧରି ପ୍ରଳୟଙ୍କରୀ ମହାବାତ୍ୟା ଏରସମା, କୁଜଙ୍ଗ, ପାରାଦ୍ୱୀପ, ତିର୍ତ୍ତୋଲ ଓ ବାଲିକୁଦା ଅଞ୍ଚଳରେ ଯେଉଁ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରିଥିଲା ତାହା ଭାବିଲେ ଏବେ ବି ମନ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥାଏ। ଜଗତସିଂହପୁର ଜିଲାର ଏରସମା ଓ ପାରାଦ୍ୱୀପ ଅଞ୍ଚଳ ବିଶେଷ ଭାବେ ମହାବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା। ମହାବାତ୍ୟାର କରାଳ ଗ୍ରାସ ରେ ଉକ୍ତ ଅଞ୍ଚଳରୁ ୧୦ ହଜାରରୁ ଉର୍ଦ୍ଧ ଲୋକଙ୍କର ଜୀବନ ହାନି ଘଟିଥିବା ବେଳେ ହଜାର ହଜାର ପଶୁଙ୍କ ଜୀବନ ଯାଇଥିଲା । ଘରଦ୍ୱାର ଧନ ସମ୍ପତ୍ତି କୁଆଡେ ମିଳେଇ ଗଲା ଗଲା ବାତ୍ୟାର ତାଣ୍ଡବରେ ।୨୬ ବର୍ଷ ପରେ ଏରସମା ଅଂଚଳର ଅନେକ ଉନ୍ନତି ହୋଇଛି ସତ । ରାସ୍ତା ଘାଟ ଘରଦ୍ୱାର ଆଦିରେ ଅନେକ ପରିବର୍ତ୍ତନ କରିଛନ୍ତି ସରକାର । ହେଲେ ତାହାରି ଭିତରେ ଅନେକ ଗାଁରେ ଆଜିବି ବିକାଶ ପାଲଟିଛି ଅପହଞ୍ଚ ।୧୯୯୯ ମସିହାର ସେହି ମହାବାତ୍ୟାର କାଳରାତ୍ରି ଦୀର୍ଘ ୩୬ ଘଣ୍ଟାର ତାଣ୍ଡବଲୀଳା ଓ ପବନର ବେଗ ଘଣ୍ଟାକୁ ପ୍ରାୟ ସାଢ଼େ ୩୦୦ କି.ମି ବେଗ ବଙ୍ଗୋପସାଗର କୂଳବର୍ତ୍ତୀ ବ୍ଲକ ଏରସମାକୁ ଏକ ଧ୍ୱଂସସ୍ତୂପରେ ପରିଣତ କରିଦେଇଥିଲା। ସେତେବେଳ ପବନର ବେଗକୁ ବେଗ ମାପକ ଯନ୍ତ୍ର ଏନୋମିଟର ମଧ୍ୟ ରେକର୍ଡ କରିବା ପାଇଁ ଅସମର୍ଥ ହୋଇ ପଡ଼ିଥିଲା। ୧୯୯୯ ମସିହା ୨୯ ତାରିଖର ସେହି ମହାବାତ୍ୟା ମହାକାଳ ରାତ୍ରି ଅତ୍ୟନ୍ତ ଭୟଙ୍କର ଥିଲା। ସମୁଦ୍ର ଉପକୂଳବର୍ତ୍ତୀ ଶିଆଳୀ ଗ୍ରାମ ଠାରୁ ଆରମ୍ଭ କରି ଜପା ପଞ୍ଚାୟତର ଦହିବର, ଝାଟିପାରୀ, ଖୋଳପ, ଧୋବେଇ ଜଙ୍ଗଲ, ଆମ୍ବିକିର କାଙ୍କଣ, ଗଡ଼ବିଶୁନପୁରର ନଳଭେଡି, ବାଲିକୁଦାର ବନ୍ଦର ମରିଚପୁର, ନହରଣା, ବୋରିକିନା, ତିତିରା ସହିତ ପଦ୍ମପୁର ପଞ୍ଚାୟତର ଶତାଧିକ ଗ୍ରାମଗୁଡ଼ିକ​‌େର କୁଢ଼ କୁଢ଼ ଶବ ପଡ଼ି ରହିଥିବାର ଦୃଶ୍ୟ ମନେ ପଡ଼ିଲେ ଏବେ ବି ଲୋମ ଟାଙ୍କୁରୀ ଉଠେ। ଦିନ ଚାଲି ଯାଇଛି ହେଲେ ୧୯୯୯ ମହାବାତ୍ୟାର ଅନେକ ଲୋମହର୍ଷଣକାରୀ ଦୁଃଖ, ବିଚ୍ଛେଦ ଓ ଯନ୍ତ୍ରଣାର କ୍ଷତ ଏବଂ କ୍ଷତିର ଚିହ୍ନ ଏବେବି ଏରସମାର ୨୫ଟି ପଞ୍ଚାୟତବାସୀଙ୍କ ମନରୁ ଲିଭି ପାରିନାହିଁ।