୨୦୨୬ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ଆଦ୍ୟପର୍ବ ରଥକାଠ ଅନୁକୂଳ ପାଇଁ ମା ବଡରାଉଳଙ୍କ ପୀଠରେ ପୂଜାର୍ଚ୍ଚନା

ଗଣିଆ,( ବିଶ୍ୱରଂଜନ ସେଠି) ୨୦୨୬ ମସିହା ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ନିମନ୍ତେ ମଙ୍ଗଳବାର ରଥକାଠ ଅନୁକୂଲ ନିମନ୍ତେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଚାଂୟତ ବଡମୂଳସ୍ଥିତ ମା ବଡରାଉଳଙ୍କ ପୀଠ ପରିସରରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଏକ ୫ଜଣିଆ ଟିମ ସୋମବାର ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ, ପାଟପତନୀ, ମହାର୍ଦ୍ଦ ଧରି ନୟାଗଡ ବନଖଣ୍ଡ ଅଧିକାରୀଙ୍କ ନିକଟରେ ପହଚିଂଥିଲେ । ଏହି ୫ଜଣିଆ ପ୍ରତିନିଧି ଦଳରେ ଶ୍ରୀମନ୍ଦିର ଭାରପ୍ରାପ୍ତ ଅଧିକାରୀ (ନିତୀ ) ରବିନ୍ଦ୍ର ନାଥ ଦାଶ, ସହକାରୀ ପ୍ରଶାସକ (ନିତୀ) ଡଃ. ପ୍ରଭୁ ପିୟୁସ ମହାପାତ୍ର, ଭାରପ୍ରାପ୍ତ ବରିଷ୍ଠ ତତ୍ୱାବଧାରକ ଚିତରଞନ ମହାପାତ୍ର, ରଥଅମିନ ଲଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଆସିଥିଲେ । ସେଠାରୁ ମଙ୍ଗଳବାର ସକାଳୁ ବାହାରି ବେଠିଆସାହିସ୍ଥିତ ଶ୍ରୀ ଦଧିବାମନଜୀଉଙ୍କ ମନ୍ଦିରରେ ପ୍ରଥମେ ପୂଜାର୍ଚ୍ଚନା କରିଥିଲେ । ପରେ ବଡମୂଳ ଗ୍ରାମବାସୀଙ୍କ ଦ୍ୱାରା ପୂର୍ନକୁମ୍ଭ କଳସ ସ୍ଥାପନ ପୂର୍ବକ ବରଣ କରାଯାଇ ବାଜା , ବାଣ ରୋଷଣୀ ଓ ନାମସଂକୀର୍ତନ ସହ ଶୋଭାଯାତ୍ରାରେ ଯାଇ ମା ବଡରାଉଳଙ୍କ ପୀଠରେ ପହଚିଂଥିଲେ । ସେଠାରେ ନୟାଗଡ ବନଖଣ୍ଡ ଅଧିକାରୀ ଦେବାର୍ଚ୍ଚନ ବେହେରା ମହାପ୍ରଭୁଙ୍କ ଆଜ୍ଞାମାଳକୁ ବରଣ କରି ମନ୍ଦିର ପରିସରକୁ ପାଛୋଟି ନେଇଥିଲେ । ପରେ ଗଣକ ପ୍ରଫୁଲ୍ଲ କୁମାର ଦାଶ ଓ ପଣ୍ଡିତ ପ୍ରଶନ୍ନ କୁମାର ଦାଶ ମନ୍ତ୍ରଧ୍ୱନୀରେ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା । ନୟାଗଡ ବନଖଣ୍ଡ ଅଧିକାରୀ ଓ ଦଶପଲ୍ଲା ବନାଚଂଳ ଅଧିକାରୀ ଶ୍ରୀନିବାସ ଦାସ ଯଜ୍ଞ କର୍ତା ଭାବେ ଯୋଗଦେଇଥିଲେ । ମାଙ୍କ ପୂଜାର୍ଚ୍ଚନା ପରେ ରଥକାଠ ଛେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପ୍ରତିବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ୮୬୫ଖଣ୍ଡ ଫାଶି, ଅସନ, ଧଉରା ଓ ଶିମିଳି କାଠ ଆବଶ୍ୟକ ହୋଇଥାଏ । ତେବେ ଗତ ବର୍ଷ ରଥଖଳାରେ ୪୭ଖଣ୍ଡ ରଥକାଠ ଗଛିତ ରହିଥିବା ବେଳେ ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୧୮ଖଣ୍ଡ କାଠର ଆବଶ୍ୟକତା ରହିଅଛିା ଏଥିମଧ୍ୟରୁ ୪୦୨ଖଣ୍ଡ ରଥକାଠ ଚିରଟ ପାଇଁ କଟକ ଖପୁରିଆସ୍ଥିତ ସ ମିଲକୁ ଯିବାକୁ ରହିଥିବା ବେଳେ ୪୧୬ଖଣ୍ଡ କାଠ ରଥଖଳାକୁ ଯିବା ପାଇଁ ସ୍ଥିର କରାଯାଇଅଛି ।

ଏହି କାର୍ଯ୍ୟକ୍ରମରେ ନୟାଗଡ ଉପଜିଲ୍ଲାପାଳ କର୍ନଦେବ ସମାଦାର, ଗଣିଆ ତହସିଲଦାର ଅଶ୍ଚର୍ଯ୍ୟା ପୃଷେଠ, ବଡିଓ ଲବନେନ୍ଦୁ ମହାପାତ୍ରଙ୍କ ସମେତ ବନବିଭାଗର ବହୁ କର୍ମଚାରୀ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ସ୍ଥାନୀୟ ଯୁବଗୋଷ୍ଟୀଙ୍କ ତରଫରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ମା ବଡରାଉଳ ମହୋତ୍ସବ ମନ୍ଦିର ସମ୍ମୁଖ ପଡିଆରେ ଆୟୋଜନ କରାଯାଇଥିଲା । ପୁରୀରୁ ଆସିଥିବା ନୀଳଚକ୍ର ଭଜନ ସଂଦ୍ଧ୍ୟାର କଣ୍ଠଶିଳ୍ପୀମାନଙ୍କ ଭଜନ ପରିବେଷଣ ସହ ଶ୍ରଦ୍ଧାଳୁମାନଙ୍କ ଅନ୍ନପ୍ରସାଦ ବିତରଣ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଭାବେ ମହୋତ୍ସବ କମିଟି ସଭ୍ୟମାନେ ପରିଚାଳନା କରିଥିଲେ ।