‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
ଓଡ଼ିଶା ମାଟି ତଳୁ ମିଳିଥିବା ୩ ସୁନା ଖଣିର ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ଏ ନେଇ ଆସନ୍ତା ୩ ତାରିଖରେ ଏକ ବୈଠକ ବସିବ। ନିଲାମ କିପରି ଠିକ୍ ଭାବେ ହେବ ସେ ନେଇ ପ୍ରକ୍ରିୟା ଚାଲିଛି ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ବୈଠକରେ ରାଜ୍ୟର ୪୯ଟି ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ଚୂଡ଼ାନ୍ତ କରିବାକୁ ନିଷ୍ପତ୍ତି ନିଆଯିବ । ତେବେ ରାଜ୍ୟରେ ସନ୍ଧାନ ମିଳିଥିବା ୩ଟି ସୁନା ଖଣିରେ ୧୫୮୬ କିଲୋଗ୍ରାମ ସୁନା ରହିଛି। ସୂଚନାଯୋଗ୍ୟ ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାରେ ସୁନା ଖଣି ସନ୍ଧାନ ମିଳିଛି। ସେଠାରେ ଜିଏସଆଇ ପକ୍ଷରୁ ୧୦୦ଫୁଟ ପର୍ଯ୍ୟନ୍ତ ଖୋଳି ମାଟି ପରୀକ୍ଷା କରାଯିବ। ମୟୂରଭଞ୍ଜ ଜିଲାର କାଞ୍ଜିଆ ଓ ମଦନାସାହିରେ ସୁନା ଖଣିଥିବା ସନ୍ଧାନ ମିଳିଥିବା ବେଳେ କେନ୍ଦୁଝର ଜିଲାର ଜଳଡିହା ଅଞ୍ଚଳରେ ସୁନା ଖଣି ସନ୍ଧାନ କରାଯାଇଛି। ଏଥିସହିତ ରାଜ୍ୟର ୪୯ଟି ଖଣି ନିଲାମ ପାଇଁ ବାର୍ଷିକ ନିଲାମ କ୍ୟାଲେଣ୍ଡର ହେବ ଚୂଡାନ୍ତ ନିଷ୍ପତ୍ତି। ପ୍ରସ୍ତାବିତ ଖଣି ଅନୁସନ୍ଧାନ ବ୍ଲକଗୁଡିକର ସ୍ଥିତି ନିଲାମ ପାଇଁ ପ୍ରସ୍ତୁତି ଯାଞ୍ଚ କରାଯିବ। ନିଲାମ କ୍ୟାଲେଣ୍ଡରରେ ଖଣି ଗୁଡିକ ସାମିଲ ହେବ। କେବଳ କେନ୍ଦୁଝର, ମୟୁରଭଞ୍ଜ ଆଉ ଦେବଗଡ଼ ନୁହେଁ, ଅନୁଗୁଳ, ନବରଙ୍ଗପୁର, ସମ୍ବଲପୁର, ମାଲକାନଗିରି, କୋରାପୁଟ ଜିଲ୍ଲାରେ ମଧ୍ୟ ସୁନା ଖଣି ଥିବା ନେଇ ବିଧାନସଭାରେ ତଥ୍ୟ ଆସିଥିଲା।
