୩୫ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟରେ ହ୍ରାସ କଲା NPPA

ରୋଗୀଙ୍କ ପାଇଁ ଔଷଧକୁ ଅଧିକ ସୁଲଭ କରିବା ଲକ୍ଷ୍ୟରେ, ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନ୍‌ପିପିଏ) ପ୍ରମୁଖ ଔଷଧ କମ୍ପାନୀଗୁଡ଼ିକ ଦ୍ୱାରା ବିକ୍ରି ହେଉଥିବା ୩୫ଟି ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ ହ୍ରାସ କରିଛି। ସୂଚନା ଅନୁଯାୟୀ, ମୂଲ୍ୟ ହ୍ରାସ କରାଯାଇଥିବା ଔଷଧ ଗୁଡ଼ିକ ସଂକ୍ରମଣ, ହୃଦରୋଗଠାରୁ ଆରମ୍ଭ କରି ମଧୁମେହ ଏବଂ ଭିଟାମିନ୍ ଅଭାବ ପର୍ଯ୍ୟନ୍ତ ବିଭିନ୍ନ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ।ଏଥିମଧ୍ୟରୁ ପାରାସିଟାମଲ୍, ଆଟୋରଭାଷ୍ଟାଟିନ୍, ଆମୋକ୍ସିସିଲିନ୍, ମେଟଫର୍ମିନ୍ ପରି ପ୍ରାୟତଃ ନିର୍ଦ୍ଧାରିତ ଔଷଧ ଏବଂ ଦୀର୍ଘକାଳୀନ ରୋଗ ପରିଚାଳନାରେ ବ୍ୟବହୃତ ଔଷଧ ଅନ୍ତର୍ଭୁକ୍ତ। ମୂଲ୍ୟ ହ୍ରାସ ହୋଇଥିବା ଔଷଧ ମଧ୍ୟରେ ଆସେକ୍ଲୋଫେନାକ୍, ପାରାସିଟାମଲ୍ ଏବଂ ଟ୍ରିପ୍ସିନ୍ କାଇମୋଟ୍ରିପ୍ସିନ୍‌ର ଏକ ଅଂଶ ରହିଛି। ତଥାପି, ଏକେମ୍ସ ଡ୍ରଗ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ ଦ୍ୱାରା ନିର୍ମିତ ଏବଂ ଡକ୍ଟର ରେଡ୍ଡିଜ୍ ଲାବୋରେଟୋରି ଦ୍ୱାରା ବିକ୍ରୟ କରାଯାଇଥିବା ଗୋଟିଏ ଏସିକ୍ଳୋଫେନାକ-ପାରାସେଟାମଲ୍‌-ଟ୍ରିପ୍‌ସିନ୍‌ କାଇମୋଟ୍ରିପ୍ସିନ ଟାବଲେଟର ମୂଲ୍ୟ ଏବେ ୧୩ ଟଙ୍କା ସ୍ଥିର କରାଯାଇଛି, ଯେତେବେଳେ କାଡିଲା ଫାର୍ମାସ୍ୟୁଟିକାଲ ଦ୍ୱାରା ବିକ୍ରୟ କରାଯାଇଥିବା ସମାନ ଫର୍ମୁଲେସନର ମୂଲ୍ୟ ଏବେ ୧୫.୦୧ ଟଙ୍କା ହୋଇଛି।

ସେହିପରି ଆଟୋରଭାଷ୍ଟାଟିନ ୪୦ ଏମ୍‌ଜି ଏବଂ କ୍ଲୋପିଡୋଗ୍ରେଲ ୭୫ ଏମ୍‌ଜି ଥିବା ଏକ ଟାବଲେଟର ମୂଲ୍ୟ ୨୫.୬୧ ଟଙ୍କା ହୋଇଛି। ଏହା ହୃଦଘାତ ସମସ୍ୟାରେ ବହୁଳ ଭାବରେ ବ୍ୟବହୃତ ହୁଏ। କମ୍ ମୂଲ୍ୟର ଔଷଧରେ ପିଲାମାନଙ୍କ ଚିକିତ୍ସା ପାଇଁ ସେଫିକ୍ସାଇମ ଏବଂ ପାରାସିଟାମଲ ମଧ୍ୟ ଅନ୍ତର୍ଭୁକ୍ତ। ଭିଟାମିନ ଡି ସପ୍ଲିମେଣ୍ଟେସନ ପାଇଁ କୋଲେକ୍ୟାଲସିଫେରଲ ଡ୍ରପ୍ସ ଏବଂ ଡାଇକ୍ଲୋଫେନାକ୍ ଇଞ୍ଜେକ୍ସନ ଭଳି ଗୁରୁତ୍ୱପୂର୍ଣ୍ଣ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ, ଯାହାର ମୂଲ୍ୟ ପ୍ରତି ମିଲି ୩୧.୭୭ ଟଙ୍କା ରହିଛି।ସରକାରୀ ଆଦେଶରେ କୁହାଯାଇଛି ଯେ ଖୁଚୁରା ବ୍ୟବସାୟୀ ଏବଂ ଡିଲରମାନେ ସେମାନଙ୍କ ପରିସରରେ ଏହି ଅପଡେଟ୍ ହୋଇଥିବା ମୂଲ୍ୟ ତାଲିକାଗୁଡ଼ିକୁ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିବେ। ଅଧିସୂଚିତ ମୂଲ୍ୟ ପାଳନ ନକରିବା ପାଇଁ ଡିପିସିଓ, ୨୦୧୩ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ, ୧୯୫୫ ଅନୁଯାୟୀ ଦଣ୍ଡନୀୟ ବ୍ୟବସ୍ଥା ହୋଇପାରେ। ଏଥିରେ ଔଷଧ ପାଇଁ ଆଦାୟ କରାଯାଇଥିବା ଅତିରିକ୍ତ ପରିମାଣ ଏବଂ ସୁଧ ଆଦାୟ ଅନ୍ତର୍ଭୁକ୍ତ।ଏନ୍‌ପିପିଏ ସ୍ପଷ୍ଟ କରିଛି ଯେ ସ୍ଥିର ମୂଲ୍ୟରେ ସାମଗ୍ରୀ ଏବଂ ସେବା କର (ଜିଏସ୍‌ଟି) ଅନ୍ତର୍ଭୁକ୍ତ ନୁହେଁ। ତଥାପି, ଆବଶ୍ୟକ ହେଲେ ଏହାକୁ ଅନ୍ତର୍ଭୁକ୍ତ କରାଯାଇପାରେ।