୩୬ ଘଣ୍ଟା ପାଇଁ କଟକରେ କର୍ଫ୍ୟୁ । କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର
କଟକ ସହରର ଦରଘାବଜାର ଦେଇ ଶୁକ୍ରବାର ରାତିରେ ଦୁର୍ଗାମେଢ଼ ଭସାଣି ଶୋଭାଯାତ୍ରା ଯାଉଥିବା ସମୟରେ ଜୟ ଶ୍ରୀରାମ ଧ୍ୱନିକୁ ନେଇ ଏକ ନିର୍ଦ୍ଦିଷ୍ଟ ଦିଗରୁ ପଥର, କାଚବୋତଲ ମାଡ଼ ହୋଇଥିଲା। ଏଥିରେ ଅନେକ ଆହତ ହୋଇଥିବାବେଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକେ ଶୋଭାଯାତ୍ରାରେ ଶ୍ରୀରାମଙ୍କ ସଙ୍ଗୀତକୁ ବିରୋଧ କରିଥିଲେ। ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଉତ୍ତେଜନା ଦେଖାଦେଇଛି। ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ସୋମବାର କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ରବିବାର ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା କରାଯାଇଛି। କଟକରେ ହିଂସା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ୧୩ଟି ଅଞ୍ଚଳରେ ୩୬ ଘଣ୍ଟା ପାଇଁ ସହରରେ ଲାଗୁ ହୋଇଛି କର୍ଫ୍ୟୁ । ଦରଘାବଜାର, ମଙ୍ଗଳାବାଗ, କ୍ୟାଣ୍ଟନମେଣ୍ଟ ଥାନା ଅଞ୍ଚଳ, ପୁରୀଘାଟ ଥାନା, ଲାଲବାଗ, ବିଡ଼ାନାସୀ , ମର୍କତନଗର, ସିଡିଏ ଫେଜ-୨, ମାଲଗୋଦାମ, ବାଦାମବାଡ଼ି, ଜଗତପୁର ଓ ବୟାଳିଶ ମୌଜା ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର । ତେବେ କର୍ଫ୍ୟୁରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଶିକ୍ଷାନୁଷ୍ଠାନ ବାଦ ରହିଛି । ହ୍ବାଟସ ଆପ୍, ଫେସବୁକ୍ , ଇନଷ୍ଟାଗ୍ରାମ୍, ସ୍ନାପଟାପ୍, ଏକ୍ସ ସମେତ ସମସ୍ତ ସୋସିଆଲ୍ ମିଡିଆ ସାଇଟ୍ ବ୍ୟାନ୍ ହୋଇଛି । ସକାଳୁ ସକାଳୁ କଟକର ବିଭିନ୍ନ ସ୍ଥାନରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି।
ବିଭିନ୍ନ ସ୍ଥାନରେ ପୋଲିସ୍ ପଇଁତରା ମାରୁଛି। ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର ଓ ବ୍ରଡବ୍ୟାଣ୍ଡ ଉପରେ ବି କଟକଣା ଲାଗିଛି । ଯେଉଁମାନେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ମେଡିକାଲ୍ ଓ ଅତ୍ୟାବଶ୍ୟକ ସେବା କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ସ୍ଥିତି ଦେଖି କର୍ଫ୍ୟୁ କୋହଳ କିମ୍ବା ବୃଦ୍ଧି ହେବ ।
