୩ ମାସ ଧରି ରହିବ ଗ୍ରୀଷ୍ମ ଲହର, ଏହି ରାଜ୍ୟରେ ହେବ ଅଧିକ ଗରମ

ଲୋକ ସଭା ନିର୍ବାଚନ ଏପ୍ରିଲ ୧୯ରୁ ଜୁନ୍‌ ୧ ଯାଏ ୭ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏପ୍ରିଲରୁ ଜୁନ୍‌ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୋମବାର ସତର୍କ କରାଇଛି। ତିନିମାସ ଧରି ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ କଲବଲ କରିବ। ଅସ୍ବାଭାବିକ ପାଣିପାଗ ‌ଯୋଗୁଁ ଓଡ଼ିଶା ସମେତ ୮ଟି ରାଜ୍ୟରେ ଏହାର ପ୍ରଭାବ ସର୍ବାଧିକ ରହିବ। ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ(ହିଟ୍‌ୱେଭ୍‌) ସ୍ବାଭାବିକ ଭାବେ ୫ରୁ ୮ଦିନ ରହିଥାଏ। କିନ୍ତୁ ଚଳିତ ବର୍ଷ ଏହାର ଅବଧି ବଢ଼ିଯିବ। ଓଡ଼ିଶା, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତର ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତର କର୍ଣ୍ଣାଟକ, କେନ୍ଦ୍ରୀୟ ମହାରାଷ୍ଟ୍ରରେ ଏପ୍ରିଲ୍‌, ମଇ ଓ ଜୁନ୍‌ରେ ଗ୍ରୀଷ୍ମପ୍ରବାହ ୧୦ରୁ ୨୦ ଦିନ ମଧ୍ୟରେ ରହିବ।

ଏହାଦ୍ବାରା ଅଂଶୁଘାତର ସମ୍ଭାବନା ଅଧିକ ରହିଛି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସତର୍କ କରାଇ ଦେଇଛନ୍ତି।ବିଶେଷ କରି କେନ୍ଦ୍ରୀୟ ଦକ୍ଷିଣ ଭାରତରେ ଏହା ଅଧିକ ଅନୁଭୂତ ହେବ। ସେହିପରି ଏପ୍ରିଲରେ ସ୍ବାଭାବିକରୁ କମ୍‌ ସର୍ବାଧିକ ତାପମାତ୍ରା ହିମାଳୟର ପଶ୍ଚିମାଞ୍ଚଳ ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦୀର୍ଘ ଗ୍ରୀଷ୍ମ ଲହରଜନିତ ସ୍ଥିତିର ମୁକାବିଲା କରିବା ପାଇଁ ୨୩ଟି ରାଜ୍ୟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛନ୍ତି। ଗରିବ ଲୋକମାନେ ଗ୍ରୀଷ୍ମଲହର ଦ୍ୱାରା ସର୍ବାଧିକ ପ୍ରଭାବିତ ହେବେ। ବୃଦ୍ଧ ବ୍ୟକ୍ତି, ଛୋଟ ପିଲା ଏବଂ ଖରାପ ସ୍ବାସ୍ଥ୍ୟାବସ୍ଥାରେ ଥିବା ଲୋକଙ୍କ ପାଇଁ ଅଧିକ ବିପଦ ରହିଛି।