ଭୁବନେଶ୍ୱରକୁ ପଣସର ମୁଖ୍ୟ ପେଣ୍ଠସ୍ଥଳ କରିବାକୁ ରାଜ୍ୟ ସରକାର ଯୋଜନା
ଭୁବନେଶ୍ୱରକୁ ପଣସର ମୁଖ୍ୟ ପେଣ୍ଠସ୍ଥଳ କରିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏଥିପାଇଁ ରାଜଧାନୀ ଉପକଣ୍ଠ ଡେରାସ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମୋଟ ୫ ହେକ୍ଟର ଜମିରେ ୨ ହଜାର ଉନ୍ନତମାନର ପାଲୁର-୧ ପ୍ରଜାତିର ପଣସ ଗଛ ଲାଗିଛି । ସେହିପରି ଖଣ୍ଡଗିରି ଓ ଏକାମ୍ର ଉଦ୍ୟାନରେ ମଧ୍ୟ ୫୦ଟି ଲେଖାଏଁ ସଙ୍କର ଓ ସିଦ୍ଦୁ ଜାତୀୟ ପଣସ ଗଛ ଲାଗିଛି । ଏବର୍ଷ ଏହି ସବୁ ସ୍ଥାନରେ ପଣସ ଫଳିଛି ।ଉନ୍ନତ ମାନର ପଣସ ଚାଷ ପାଇଁ ୨୦୨୨ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟ ସରକାର ଆରମ୍ଭ କରିଥିଲେ ପଣସ (ଜ୍ୟାକଫ୍ରୁଟ୍) ମିଶନ୍। ଏହି ମିଶନ ଆଧାରରେ ରାଜ୍ୟର ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, କନ୍ଧମାଳ, ଗଜପତି, ସୁନ୍ଦରଗଡ଼ ଓ ଅନୁଗୁଳ ଭଳି ୯ଟି ଜିଲ୍ଲାରେ ପାଇଲଟ୍ ପ୍ରକଳ୍ପ ଭାବରେ ପଣସ ଚାଷ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସେହି ଅନୁସାରେ, ୨୦୨୩-୨୪ରେ ଏହି ୯ଟି ଜିଲ୍ଲାର ୫୦ଟି ବ୍ଲକରେ ଥିବା ମୋଟ ୨୦୦ ହେକ୍ଟର ଜମିରେ ନୂଆ ପଣସ ଗଛ ଲଗାଯାଇଥିଲା । ସେହିପରି ୨୦୨୪- ୨୫ରେ ମୋଟ ୩୦୦ ହେକ୍ଟର ଜମିରେ ଗଛ ଲଗାଯାଇଥିବା ବେଳେ ୨୦୨୫- ୨୬ରେ ପୁଣି ୩୦୦ ହେକ୍ଟର ଜମିରେ ଗଛ ଲାଗିବ ବୋଲି ଜଣାପଡ଼ିଛି ।
