ଋଷ୍-ୟୁକ୍ରେନ ଯୁଦ୍ଧର ତୃତୀୟ ବର୍ଷ ପୁରିବା ଅବସରରେ ପୁଣି ବଡ଼ ଆକ୍ରମଣ କରିଛି ଋଷ ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ରବିବାର ଏକ୍ସ’ରେ କହିଛନ୍ତି, ରୁଷିଆ ରାତିଅଧିଆ ୨୦୦ରୁ ଊର୍ଦ୍ଧ୍ୱ ଡ୍ରୋନ୍ ଆକ୍ରମଣ କରିଛି। ପ୍ରତିଦିନ ୟୁକ୍ରେନୀୟ ନାଗରିକ ‘ଆକାଶମାର୍ଗରୁ ଆତଙ୍କ’କୁ ସାମ୍ନା କରୁଛନ୍ତି। ଯୁଦ୍ଧର ତୃତୀୟ ବାର୍ଷିକୀ ଅବ୍ୟବହିତ ପୂର୍ବରୁ ୟୁକ୍ରେନ୍ ବିରୋଧରେ ରୁଷିଆ ୬ ଘଣ୍ଟା ଧରି ୨୬୭ ଇରାନୀୟ ଡ୍ରୋନ୍ ଆକ୍ରମଣ କରିଛି, ଯାହାକି ୟୁକ୍ରେନୀୟ ସହର ଓ ଗ୍ରାମଗୁଡ଼ିକ ଉପରେ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ସବୁଠୁ ବଡ଼ ଡ୍ରୋନ୍ ଆଟାକ୍ ବୋଲି ଜେଲେନ୍ସ୍କି ପ୍ରକାଶ କରିଛନ୍ତି। ରୁଷ୍ ମଧ୍ୟ ୩ଟି ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ପ୍ରକ୍ଷେପଣ କରିଥିବାରୁ ୟୁକ୍ରେନର ୫ଟି ଅଞ୍ଚଳରେ ବ୍ୟାପକ ଧ୍ବଂସଲୀଳା ଦେଖିବାକୁ ମିଳିଛି । ମୃତାହତଙ୍କ ସଂପର୍କରେ ୟୁକ୍ରେନ କୌଣସି ତଥ୍ୟ ଜାରି କରିନାହିଁ ।
ମସ୍କୋ ଏବେ ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଗୁଡ଼ିକୁ ଧ୍ବଂସ କରିବା ପାଇଁ ଅହରହ ପ୍ରୟାସ କରୁଛି । ଯୁଦ୍ଧର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଆମେରିକା, ବ୍ରିଟେନ୍ ସମେତ ଅନେକ ଦେଶରେ ପୁଟିନ୍ ବିରୋଧୀ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଓ୍ବାଶିଂଟନ୍ ଡିସିରେ ୟୁକ୍ରେନ୍ ସମର୍ଥକମାନେ ରାଲି କରିଛନ୍ତି। ଜେଲେନ୍ସ୍କି ଓ ଟ୍ରମ୍ପ୍ଙ୍କ ମଧ୍ୟରେ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଏକ ଅନ୍ତଃହୀନ ଯୁଦ୍ଧ ପାଇଁ ଜେଲେନ୍ସ୍କି ଆମେରିକୀୟଙ୍କ ଅର୍ଥ ନେଇଯିବାରେ ସକ୍ଷମ ହୋଇଛନ୍ତି ବୋଲି ଟ୍ରମ୍ପ୍ କରିଥିବା ତାଚ୍ଛଲ୍ୟକୁ ଅନେକ ଆମେରିକୀୟ ସମାଲୋଚନା କରିଛନ୍ତି।
