ଧର୍ମଶାଳା ଅଞ୍ଚଳରେ ଆତଙ୍କ ଖେଳାଇଲା ଜଙ୍ଗଲୀ ହାତୀ

ହାତୀ ଘଉଡାଇବାକୁ ବନ ବିଭାଗ ନୟାନ୍ତ। ମଙ୍ଗଳବାର ଦିନ ଭଦ୍ରକ ଅଞ୍ଚଳରେ ବୁଲୁଥିବା ହାତୀ ଏବେ ଯାଜପୁରରେ ଡେରା ପକାଇଛି। ସୋମବାର ବିଳମ୍ବିତ ରାତିରେ ଯାଜପୁର ଟାଉନ ଚଇନିପୁର ପଞ୍ଚାୟତ ଗଣେଶ୍ୱରପୁରରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା। ହାତୀ ଆସିଥିବା ଖବର ପାଇ ଜଙ୍ଗଲ ବିଭାଗ ଟିମ୍ ହାତୀର ଗତିବିଧି ଉପରେ ନଜର ରଖିଛି। ଲୋକଙ୍କ ଭିଡ଼ ଦେଖି ହାତୀଟି କୁମାରୀ ପାଟ ଦେଇ ଜାରକା ବଜାର ଭିତରକୁ ପଶି ଆସିଥିଲା । ଫଳରେ ଜନ ଗହଳି ପୂର୍ଣ୍ଣ ବଜାରରେ ହାତୀଟି ପଶି ଯିବାରୁ ଲୋକେ କିଏ କୁଆଡେ ଦୌଡ଼ିବାକୁ ଲାଗିଥିଲେ ।

ଲୋକଙ୍କ ଭିଡ଼ ସହ ହାତୀକୁ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ଓ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା । ଫଳରେ ବାଧ୍ୟ ହୋଇ ମାଇକ ପ୍ରଚାର କରି ଲୋକଙ୍କୁ ସତର୍କ କରାଇଥିଲା । ଏଥିସହ ହାତୀଟିକୁ ବଜାରରୁ ବାହାର କରିବା ପାଇଁ ବାଣ ଫୁଟାଇଥିଲା। ଏହି ସମୟରେ ହାତୀଟି ଶାନ୍ତି ବଜାର ମୁହାଁ ହୋଇ ସେଠାରେ ଜଣଙ୍କର ପାଚେରୀ ଭାଙ୍ଗିବା ସହ ଗଛ ପତ୍ର ନଷ୍ଟ କରିଥିଲା। ଏପଟେ ହାତୀଟି ଶାନ୍ତ ସ୍ଵଭାବର ସହ ହିଂସ୍ର ନଥିବାରୁ କୌଣସି ଲୋକଙ୍କର କ୍ଷତି କରିନାହିଁ। କେଉଁଝର ପଟୁ ହାତୀଟି ଚାଲି ଆସିଥିବା ବେଳେ ତାକୁ ଘଉଡାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଥିବା କହିଛନ୍ତି ବୈରୀ ବନ ବିଭାଗ ରେଞ୍ଜର।

You might also like