ଋଣ ଗ୍ରହୀତାଙ୍କ ଲାଗି ଖୁସିଖବର : ଅବଧି ଆଗରୁ ଲୋନ୍ ସୁଝିଲେ ଲାଗିବନି ଚାର୍ଜ
ଋଣ ଗ୍ରହୀତାଙ୍କୁ ଖୁସି ଖବର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆର୍ବିଆଇ) । ଏଣିକି ନିର୍ଦ୍ଧିଷ୍ଟ ଅବଧି ଆଗରୁ ଯଦି କୌଣସି ବ୍ୟକ୍ତି ବିଶେଷ ଋଣ ସୁଝନ୍ତି ତେବେ ତାଙ୍କ ଉପରେ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନ ଚାର୍ଜ ଲଗାଇବେ ନାହିଁ । ଫ୍ଲୋଟିଂ ସୁଧହାର ଭିତ୍ତିକ ଋଣ ଉପରେ ଲାଗୁଥିବା ଆଗୁଆ ଋଣ ସୁଝିବା (ପ୍ରିପେମେଣ୍ଟ)ଚାର୍ଜକୁ ବାଦ ଦେବାକୁ କେନ୍ଦ୍ରିୟ ବ୍ୟାଙ୍କ ନିଷ୍ପତ୍ତି ନେଇଛି । ନୂଆ ନିୟମ ୨୦୨୬ ଜାନୁଆରି ପହିଲାରୁ କାର୍ଯ୍ୟକାରୀ ହେବ । ନୂଆ ନିୟମ ସମସ୍ତ ବ୍ୟାଙ୍କ ଏବଂ ଅଣବ୍ୟାଙ୍କ ବିତ୍ତ ପ୍ରତିଷ୍ଠାନ (ଏନ୍ବିଏଫ୍ସି) ସମେତ ଆର୍ବିଆଇ ନିୟନ୍ତ୍ରଣାଧୀନ ସଂସ୍ଥା ଲାଗି କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ବାସଗୃହ, ଏମ୍ଏସ୍ଏମ୍ଇ ଋଣ ନେଇଥିବା କୋଟି କୋଟି ଗ୍ରାହକଙ୍କୁ ଆଶ୍ୱସ୍ତି ମିଳିବ । ଅଣବାଣିଜ୍ୟିକ କାର୍ଯ୍ୟ ଲାଗି ଫ୍ଲୋଟିଂ ରେଟ୍ରେ ଜଣେ ବ୍ୟକ୍ତି କିମ୍ବା ଏକାଧିକ ବ୍ୟକ୍ତି ବିଶେଷଙ୍କ ନାମରେ ଋଣ ନେଇଥିଲେ ବି ନୂଆ ନିୟମର ଲାଭ ମିଳିବ । ଏଭଳି ଋଣ କ୍ଷେତ୍ରରେ କୌଣସି ବ୍ୟାଙ୍କିଂ କିମ୍ବା ଏନ୍ବିଏଫ୍ସି ପ୍ରି ପେମେଣ୍ଟ ଫିସ୍ ଲାଗୁ କରିପାରିବେ ନାହିଁ ।ତେବେ ଏହି ନିୟମ କ୍ଷୁଦ୍ର ବାଣିଜ୍ୟିକ ବ୍ୟାଙ୍କ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ, ଲୋକାଲ ଏରିଆ ବ୍ୟାଙ୍କ, ଟିୟର ୪ ଅର୍ବାନ କୋଅପରେଟିଭ ବ୍ୟାଙ୍କ, ଏନ୍ବିଏଫ୍ସି ଅପ୍ର ଲେୟାର, ଅଲ୍ ଇଣ୍ଡିଆ ଫାଇନାନ୍ସିଆଲ ଇନଷ୍ଟିଚ୍ୟୁସନ ଲାଗି କାର୍ଯ୍ୟକାରୀ ହେବନି । କୌଣସି ବ୍ୟକ୍ତି ଏମ୍ଏସ୍ଏମ୍ଇ ବର୍ଗରେ ୫୦ ଲକ୍ଷ ଟଙ୍କାର ଋଣ ନେଇଥିଲେ ତାଙ୍କ ଉପରେ ପ୍ରିପେମେଣ୍ଟ ଚାର୍ଜ ଲାକୁ ହେବନି । ଏଥିରେ ଟିୟର ୩ ଅର୍ବାନ କୋଅପରେଟିଭ ବ୍ୟାଙ୍କ, ରାଜ୍ୟ ଏବଂ କେନ୍ଦ୍ର କୋଅପରେଟିଭ ବ୍ୟାଙ୍କ, ଏନ୍ବିଏଫ୍ସି ଅପରଲେୟର ସାମିଲ ରହିଛି ।
