ପ୍ରତ୍ୟେକ ଜିଲ୍ଲାରେ ଖୋଲାଯିବ ୱର୍କିଙ୍ଗ ଓମେନ ହଷ୍ଟେଲ l
ସମ୍ବଲପୁର ଗସ୍ତରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସାବିତ୍ରୀ ଠାକୁର । ଶୁକ୍ରବାର ସକାଳେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ମନ୍ଦିରଙ୍କୁ ଯାଇ ଦର୍ଶନ କରିଛନ୍ତି । ଏହାପରେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଇ ସ୍ତ୍ରୀ ଓ ପ୍ରସୂତୀ ବିଭାଗ ପରିଦର୍ଶନ କରିଥିଲେ l ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ମହିଳା ଶିଶୁ ବିକାଶ ଉପରେ ଏକ ସମୀକ୍ଷା ବୈଠକ କରିଥିଲେ l ଏହି ଅବସରରେ ମନ୍ତ୍ରୀ ସାବିତ୍ରୀ ଠାକୁର କହିଛନ୍ତି, “ଯେଉଁ ସ୍ଥାନ ଗୁଡିକରେ ଅଙ୍ଗନବାଡି କେନ୍ଦ୍ର ନାହିଁ ସେନେଇ ପ୍ରସ୍ତାବ ମଗାଯାଇଛି l ପୂର୍ବରୁ କେତେ ଅଙ୍ଗନବାଡି ରହିଛି, କେତେ ଗର୍ଭବତୀ ମା ଅଛନ୍ତି ତାର ତଥ୍ୟ ରେଜିଷ୍ଟ୍ରରରେ ରହୁଥିଲା କିନ୍ତୁ ଏବେ ଅଙ୍ଗନବାଡି କେନ୍ଦ୍ରକୁ ଆପ ଜରିଆରେ ମୋବାଇଲ ସହ ସଂଯୋଗ କରାଯିବ l ଏହାଦ୍ୱାରା ଜିଲ୍ଲାପାଳ ହୁଅନ୍ତୁ କି ଯେକୌଣସି ଅଧିକାରୀ ଅନଲାଇନରେ ଅଙ୍ଗନବାଡି କେନ୍ଦ୍ରର ହାଲଚାଲ ଜାଣି ପାରିବେ l
ଅଙ୍ଗନବାଡି କେନ୍ଦ୍ର କେତେଦିନ ଖୋଲିଲା l କେତେ ଛାତ୍ର ପଞ୍ଜିକୃତ ଅଛନ୍ତି ଆଉ କେତେ ଆସିଛନ୍ତି ସବୁ ତଥ୍ୟ ମୋବାଇଲରେ ରହିବ l ଏହିଭଳି ପଦକ୍ଷେପ ଦ୍ୱାରା ପ୍ରଧାନମନ୍ତ୍ରୀ ଆରମ୍ଭ କରିଥିବା ସୁପୋଷିତ ଅଭିଯାନ, 2047 ପର୍ଯ୍ୟନ୍ତ ବିକଶିତ ଭାରତ ପାଇଁ ମାତୃବନ୍ଦନା, ନାରୀ ଶକ୍ତି ପରି ଯୋଜନା କେତେ ସଫଳ ହୋଇଛି ଜଣା ପଡିବ l”ସେ ଆଉ ମଧ୍ୟ କହିଛନ୍ତି,” କେନ୍ଦ୍ର ସରକାର ମହିଳାଙ୍କ ରୋଜଗାର ଉପରେ ଗୁରୁତ୍ବ ଦେଉଥିବାରୁ ଜିଲ୍ଲା ଗୁଡିକରେ ୱର୍କିଙ୍ଗ ଓମେନ ହଷ୍ଟେଲ ଖୋଲାଯିବ l ଏହାସହ ଆବଶ୍ୟକ ସ୍ଥଳରେ ୱାନ ଷ୍ଟପ ସେଣ୍ଟର ମଧ୍ୟ ଖୋଲାଯିବ l ଏଥିପାଇଁ ଜିଲ୍ଲାପାଳ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାରଙ୍କଠାରେ ତାକୁ ସ୍ୱୀକୃତି ପାଇଁ ସହଯୋଗ କରାଯିବ l
