ଅହମ୍ମଦାବାଦ ବିମାନ ଦୁର୍ଘଟଣା!ଏହି କାରଣ ପାଇଁ ହୋଇଥିଲା ପ୍ଲେନ୍ କ୍ରାସ୍
ଅହମ୍ମଦାବାଦରେ ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନ ଦୁର୍ଘଟଣାର ତଦନ୍ତ ରିପୋର୍ଟ ସାମ୍ନାକୁ ଆସିଛି । ରିପୋର୍ଟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଉଡ଼ାଣ ଆରମ୍ଭ ହେବା ମାତ୍ରେ ବନ୍ଦ ହୋଇଯାଇଥିଲା ଉଭୟ ଇଞ୍ଜିନ୍ । ଜୁନ୧୨ ତାରିଖରେ, ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନଟି ଅହମ୍ମଦାବାଦରେ ଉଡ଼ାଣ ଭରିବାର କିଛି ସେକେଣ୍ଡ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରତୀୟ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ AAIB ଏହି ଦୁର୍ଘଟଣା ଉପରେ ଏକ ପ୍ରାଥମିକ ରିପୋର୍ଟ ପ୍ରକାଶ କରିଛି ।ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ୍ ବ୍ୟୁରୋ ବା ଏଏଆଇବି ପକ୍ଷରୁ ୧୫ ପୃଷ୍ଠାର ରିପୋର୍ଟ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ଅନୁସାରେ, ସକାଳ ପ୍ରାୟ ୮ଟା ୮ ମିନିଟ୍ ସମୟରେ ବିମାନଟି ୧୮୦ ନଟ୍ସର ସର୍ବାଧିକ ଇଣ୍ଡେକ୍ସ ଏୟାରସ୍ପିଡ୍ ବା ଆଇଏଏସ୍ ହାସଲ କରିଥିଲା । ଏହାର କିଛି ସମୟ ପରେ ଇଞ୍ଜିନକୁ ଇନ୍ଧନ ପଠାଉଥିବା ଇଞ୍ଜିନ-୧ ଓ ଇଞ୍ଜିନ-୨ର ଫୁଏଲ କଟ୍ ଅଫ୍ ସୁଇଚ୍ ‘ରନ୍’ରୁ ‘କଟ୍-ଅଫ୍’ ସ୍ଥିତିକୁ ଚାଲି ଯାଇଥିଲା, ତାହା ପୁଣି ୧ ସେକେଣ୍ଡ ବ୍ୟବଧାନରେ । ଯାହା ଇଞ୍ଜିନକୁ ଇନ୍ଧନ ଭରିବା ବନ୍ଦ କରିଦେଇଥିଲା ଏବଂ ଉଭୟ ଇଞ୍ଜିନର ଏନ୍-୧ ଓ ଏନ୍-୨ ରୋଟେସନ୍ ଦ୍ରୁତ ଗତିରେ ହ୍ରାସ ପାଇଥିଲା । ତେବେ ଇଞ୍ଜିନ୍-୧ କିଛି ମାତ୍ରାରେ ରିକୋଭରୀ କରିଥିଲା, କିନ୍ତୁ ଇଞ୍ଜିନ୍-୨ ସମ୍ପୂର୍ଣ୍ଣ ଭାବେ ଗତି ହାସଲ କରିପାରିନଥିଲା ।ରିପୋର୍ଟରେ ଉଡ଼ାଣର ଦୁଇ ପାଇଲଟ୍ ସୁମିତ ସବରୱାଲ ଏବଂ ସହ-ପାଇଲଟ୍ କ୍ଲାଇଭ୍ କୁଣ୍ଡରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ମଧ୍ୟ ପ୍ରକାଶ ପାଇଛି । ଇଞ୍ଜିନ୍ କାହିଁକି ବନ୍ଦ ହୋଇଗଲା, ଏହା ସବୁଠାରୁ ବଡ଼ ପ୍ରଶ୍ନ । କକପିଟ୍ ରେକର୍ଡିଂ ପାଇଲଟଙ୍କ କଥାବାର୍ତ୍ତା ମଧ୍ୟ ପ୍ରକାଶ କରିଛି । ଏହି ସମୟରେ ପ୍ରଥମ ପାଇଲଟ୍ ଅନ୍ୟ ପାଇଲଟଙ୍କୁ ପଚାରିଥିଲେ “ତୁମେ କାହିଁକି ସ୍ୱିଚ୍ ବନ୍ଦ କଲ?”
ସେହି ସମୟରେ ଅନ୍ୟ ପାଇଲଟ ଜଣକ ଉତ୍ତର ରଖିଥିଲେ “ମୁଁ ସ୍ଵିଚ ବନ୍ଦ କରିନାହିଁ ।”
ତେଣୁ, କୌଣସି ପାଇଲଟ୍ ଜାଣିଶୁଣି ଇଞ୍ଜିନକୁ ବନ୍ଦ କରି ନଥିବା ବେଳେ ରିପୋର୍ଟରୁ ଜଣାପଡୁଛି ଯେ ଏହା ଏକ ଯାନ୍ତ୍ରିକ ତ୍ରୁଟି ହୋଇଥାଇପାରେ । ତଥାପି, ଏଥିରେ ମାନବ ତ୍ରୁଟି ହେବାର ସମ୍ଭାବନା ମଧ୍ୟ ଅଛି । ବିମାନ ଦୁର୍ଘଟଣାର ଏକ ବିସ୍ତୃତ ତଦନ୍ତ ଏବେ ବି ଚାଲିଛି । ବର୍ତ୍ତମାନ, ଉଭୟ ଇଞ୍ଜିନ କିପରି ଆପେ ଆପେ ବନ୍ଦ ହୋଇଗଲା ତାହା ତଦନ୍ତ କରାଯାଉଛି । ତେବେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୨୨୯ଜଣ ଯାତ୍ରୀ, ୧୦ଜଣ କ୍ରୁ ସଦସ୍ୟ ଏବଂ ୧୯ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲେ । ଦୁର୍ଘଟଣାର ତଦନ୍ତ ଏଏଆଇବି ଦ୍ୱାରା କରାଯାଇଥିଲା ଏବଂ ଦୁର୍ଘଟଣାର ଠିକ୍ ଗୋଟିଏ ମାସ ପରେ ତଦନ୍ତ ରିପୋର୍ଟ ପ୍ରକାଶ ପାଇଛି ।
