ଚିରା ସିଟରେ ବସି ଯାତ୍ରା କଲେ କେନ୍ଦ୍ର କୃଷି ମନ୍ତ୍ରୀ, କ୍ଷମା ମାଗିଲା ଏୟାରଇଣ୍ଡିଆ
କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନଙ୍କୁ ଚିରା ସିଟରେ ବସି କଲେ ବିମାନ ଯାତ୍ରା । ଏୟାର ଇଣ୍ଡିଆ ବିମାନର ଚିରା ସିଟରେ ବସି କେନ୍ଦ୍ର ମନ୍ତ୍ରୀ ଯାତ୍ରା କରିଥିବା ନେଇ ଏକ୍ସରେ ପୋଷ୍ଟ କରିଛନ୍ତି । ଶିବରାଜ ନିରାଶ ହୋଇ ଏୟାର ଇଣ୍ଡିଆ ବିମାନରେ ବସିବା ବହୁତ ଯନ୍ତ୍ରଣାଦାୟକ ଥିଲା ବୋଲି କହିଛନ୍ତି ।ବିମାନରେ ତାଙ୍କୁ ସିଟ୍ ନମ୍ବର ୮ସି ଆବଣ୍ଟନ କରାଯାଇଥିଲା, ତେବେ କେନ୍ଦ୍ରମନ୍ତ୍ରୀ ସିଟ ପାଖକୁ ଯିବା ସମୟରେ ଏହା ଭାଙ୍ଗିଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ସେ ବିମାନ କର୍ମଚାରୀଙ୍କୁ ଅବଗତ ମଧ୍ୟ କରାଇଥିଲେ। ବିମାନରେ ଯାଉଥିବା ଅନ୍ୟ ଯାତ୍ରୀ ମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସିଟ୍ ବଦଳାଇ ଭଲ ସିଟରେ ବସିବାକୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ସେହି ଭଙ୍ଗା ସିଟରେ ବସି ଯାତ୍ରା କରିଥିଲେ । ବିମାନରେ ଅନେକ ସିଟର ଅବସ୍ଥା ସମାନ ରହିଥିବା ବେଳେ କର୍ତ୍ତୃପକ୍ଷ କାହିଁକି ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଥିଲେ ।ଖାଲି ଏତିକି ନୁହେଁ ପୂରା ଘଟଣାର ଫଟୋ ଉଠାଇ ସୋସିଆଲ ମିଡିଆର ଏକ୍ସ ପ୍ଲାର୍ଟଫର୍ମରେ ଫଟୋ ପୋଷ୍ଟ କରି ଏୟାରଇଣ୍ଡିଆଙ୍କୁ ଟ୍ୟାଗ କରିଥିଲେ ।
ଏହାପରେ କମ୍ପାନୀ ଏନେଇ କ୍ଷମା ପ୍ରାର୍ଥନା କରିବା ସହିତ ଆଗାମୀ ଦିନରେ ଯେପରି ଭାବରେ କୌଣସି ଯାତ୍ରୀଙ୍କୁ କଷ୍ଟ ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କହିଛି ।
