ଆଜି ପବିତ୍ର ଅକ୍ଷୟ ତୃତୀୟା: ଚାଷୀ କରିବେ ଅଖିମୁଠି ଅନୁକୂଳ

ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଏହି ଦିବ୍ୟ ମୁହୂର୍ତରେ କୌଣସି କାମ କଲେ, ତାହା ନିଶ୍ଚିତ ଶୁଭଙ୍କର ବୋଲି ବିଶ୍ୱାସ ରହିଛି । ଆଜିର ଦିନରେ ଚାଷୀ ଅଖିମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ । ତେଣୁ ଏହାକୁ କୃଷିଭିତିକ ପର୍ବ ବା କୃଷକଙ୍କ ପର୍ବ ବୋଲି କୁହାଯାଏ । ସେହିପରି, ଆଜିର ଦିନରେ ସୁନା, ରୂପା ଇତ୍ୟାଦି କିଣିଲେ ଶୁଭ ବୋଲି ବିବେଚନା କରାଯାଏ । ଏହି ଦିନ କିଣାକିଣି କରିବା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସିଥାଏ ଏବଂ ଅନନ୍ତ ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ଅକ୍ଷୟ ତୃତୀୟା ଏପରି ଏକ ଦିନ ଏହି ଦିନ କୌଣସି ଶୁଭ କାର୍ଯ୍ୟ କରିବା ପାଇଁ ମୁହୂର୍ତ୍ତ ଖୋଜିବାର ଆବଶ୍ୟକତା ନାହିଁ । ଏହା ସହିତ, ଏହି ଦିନ ଦାନ କରିବା ଦ୍ୱାରା ଲୋକମାନେ ଶୁଭ ଫଳ ମଧ୍ୟ ପାଆନ୍ତି ।

ଏହାବ୍ୟତୀତ ମହାପ୍ରଭୁଙ୍କ ଚନ୍ଦନ ଓ ଚାପ ଯାତ୍ରା ଏହି ଦିନରୁ ହିଁ ଆରମ୍ଭ ହୁଏ । ଏହାସହିତ ଆଜି ମହାପ୍ରଭୁଙ୍କ ରଥ କାଠ ମଧ୍ୟ ଅନୁକୂଳ ହୁଏ । ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ । ଚନ୍ଦନଯାତ୍ରା ଉପଲକ୍ଷେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣଙ୍କ ସମେତ ପଞ୍ଚ ମହାଦେବ ଜମ୍ବେଶ୍ବର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ବର ଓ ନୀଳକଣ୍ଠେଶ୍ବର ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ଡ ଦେଇ ନରେନ୍ଦ୍ର ପୁଷ୍କରିଣୀରେ ବିଜେ କରିବେ । ଚନ୍ଦନ ଚକଡ଼ାରେ ଚନ୍ଦନ ନୀତିକାନ୍ତି ପରେ ନନ୍ଦା-ଭଦ୍ରାରେ ବସି ଚାପ ଖେଳିବେ ମହାବାହୁ । ରଥ ନିର୍ମାଣ ଅନୁକୂଳ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଛାମୁଣ୍ଡିଆ ବନ୍ଧା ହୋଇଥାଏ । ତିନି ଧଉରା କାଠ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସମ୍ମୁଖରେ ପୂଜାର୍ଚ୍ଚନା ପାଇଁ ରଖାଯାଇଥାଏ ।

You might also like