ଆପଲ୍ ଆମେରିକାରୁ ସମ୍ପୂର୍ଣ୍ଣ ଆଇଫୋନ୍ ଫ୍ୟାକ୍ଟ୍ରି ଭାରତ ସ୍ଥାନାନ୍ତର କରିପାରେ

ଆପଲ୍ କମ୍ପାନୀ ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୬ ସୁଦ୍ଧା ଆମେରିକା ବଜାର ପାଇଁ ସମ୍ପୂର୍ଣ୍ଣ ଆଇଫୋନ୍ ଆସେମ୍ବଲିକୁ ଭାରତକୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛି ବୋଲି ଏକ ରିପୋର୍ଟରେ ଦାବି କରାଯାଇଛି।ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଶ୍ୱର ବିଭିନ୍ନ ଦେଶ ଉପରେ ଶୁଳ୍କ ଲାଗୁ କରିବା, ଓ ଚୀନ୍ ସହିତ ଶୁଳ୍କ ଯୁଦ୍ଧ ଯୋଗୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି। ଆପଲ୍‌ ବର୍ତ୍ତମାନ ଚାଇନାରେ ଥିବା ଉତ୍ପାଦନ କେନ୍ଦ୍ରଗୁଡିକରୁ ବାହାରକୁ ଆସି ଅନ୍ୟ ଦେଶମାନଙ୍କୁ ବିକଳ୍ପ ଭାବେ ବାଛୁଛି। ଭାରତରେ ଫକ୍ସକନ୍‌ ଏବଂ ଟାଟା ଇଲେକ୍ଟ୍ରୋନିକ୍ସ ଭଳି କମ୍ପାନୀମାନଙ୍କ ସହାୟତାରେ ଆପଲ୍‌ ତା’ର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରୁଛି। ୨୦୨୪ରେ ଭାରତରୁ ଆପଲ୍‌ର ଆଇଫୋନ୍‌ ରପ୍ତାନି ୧୧.୫୩ ବିଲିୟନ୍‌ ଡଲାର (ପ୍ରାୟ ୧ ଲକ୍ଷ କୋଟି ଟଙ୍କା)ରେ ପହଞ୍ଚିଛି, ଯାହା ୨୦୨୩ ତୁଳନାରେ ୪୨% ଅଧିକ।

ଏହା ସହିତ, ଭାରତରେ ଆଇଫୋନ୍ ୧୬ ପ୍ରୋ ଭଳି ଉଚ୍ଚ-ମାନର ମଡେଲ୍‌ଗୁଡିକର ଉତ୍ପାଦନ ଆରମ୍ଭ ହୋଇଛି, ଯାହା ଦେଶର ଉତ୍ପାଦନ କ୍ଷମତାକୁ ପ୍ରମାଣ କରୁଛି।ଭାରତ ଚୀନ୍ ତୁଳନାରେ କମ୍ ମୂଲ୍ୟରେ ଶ୍ରମ ଯୋଗାଇଥାଏ, ଯାହା ଏହାକୁ ଆର୍ଥିକ ଦୃଷ୍ଟିରୁ ଅଧିକ ଆକର୍ଷଣୀୟ କରିଥାଏ। ଏହା ସହିତ, ସ୍ଥାନୀୟ ଭାବରେ ଉତ୍ପାଦନ କରିବା ଦ୍ୱାରା କମ୍ପାନୀକୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ଉଚ୍ଚ ଆମଦାନୀ ଖର୍ଚ୍ଚ ଏଡାଇବାରେ ସାହାଯ୍ୟ ମିଳିଥାଏ।ଏହି ସ୍ଥାନାନ୍ତର ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ସୁଯୋଗ ସୃଷ୍ଟି କରିବ। ୨୦୨୫ ଆର୍ଥିକ ବର୍ଷରେ ଭାରତରେ ଆଇଫୋନ୍ ଉତ୍ପାଦନ ୬୦% ବୃଦ୍ଧି ପାଇଛି, ଯାହା ବିଶ୍ୱର ୨୦% ଆଇଫୋନ୍ ଉତ୍ପାଦନରେ ଯୋଗଦାନ କରୁଛି। ଏହା ଦେଶରେ ନୂଆ ନିଯୁକ୍ତି ସୃଷ୍ଟି କରିବ ଏବଂ ଉତ୍ପାଦନ କ୍ଷେତ୍ରକୁ ଆହୁରି ମଜବୁତ କରିବ।

You might also like