୨୦ ହଜାର ଲଂଚ ନେଉଥିଲେ ଏଆରଆଇ, ମାଡ଼ିବସିଲା ଭିଜିଲାନ୍ସ

ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଧୀନ ସିନ୍ଦୁରପୁର ରେଭିନ୍ୟୁ ସର୍କଲରେ ଆରଆଇ ବା ରାଜସ୍ୱ ନିରୀକ୍ଷକ ଦାୟିତ୍ୱରେ ଥିବା ସହକାରୀ ରାଜସ୍ୱ ନିରୀକ୍ଷକ (ଆସିଷ୍ଟାଣ୍ଟ ଆରଆଇ) ବିବେକାନନ୍ଦ ତ୍ରିପାଠୀ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି |ସୂଚନା ଅନୁସାରେ ସୂର୍ଯ୍ୟ କୁମାର ମହାକୁର ନାମକ ଜଣେ ବ୍ୟକ୍ତି ତାଙ୍କ ଚାଷ ଜମିକୁ ଘରବାରିରେ ପରିଣତ କରିବା ପାଇଁ ବିନିକା ତହସିଲରେ ଆବେଦନ କରିଥିଲେ। ତେବେ ସିନ୍ଦୂରପୁର ଏଆରଆଇ ବିବେକାନନ୍ଦ ତ୍ରିପାଠୀଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏଆରଆଇ ତଦନ୍ତ ରିପୋର୍ଟ ଦେବା ପାଇଁ ସୂର୍ଯ୍ୟ କୁମାରଙ୍କୁ ୬୦ହଜାର ଟଙ୍କା ଦାବି କରିଥିଲେ।

ଏଆରଆଇଙ୍କ ଦ୍ବାରା ଲାଞ୍ଚ ଦାବି କରାଯାଇଥିବା ନେଇ ସୂର୍ଯ୍ୟ କୁମାର୍ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେl ଯୋଜନା ଅନୁସାରେ ସୂର୍ଯ୍ୟ କୁମାର୍‌ ଆଜି ରାସାୟନିକ ପ୍ରଲୋପ ଦିଆ ଯାଇଥିବା ୨୦ହଜାର ଟଙ୍କା ପ୍ରଥମ କିସ୍ତି ବାବଦରେ ଦେବା ପାଇ ସିନ୍ଦୂରପୂର ଆରଆଇ କାର୍ଯ୍ୟାଳୟକୁ ଯାଇଥିଲେ। ଏଆରଆଇ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ ମାଡିବସିଥିଲେl ସହକାରୀ ରାଜସ୍ୱ ନିରୀକ୍ଷକ ବିବେକାନନ୍ଦ ତ୍ରିପାଠୀ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।