ରାଉରକେଲା ଶିଳ୍ପାଞ୍ଚଳରେ ବିନା ଫୁଡ ଲାଇସେନ୍ସରେ ଚାଲିଥିବା ଆଇସ୍‌କ୍ରିମ କାରଖାନା ସିଲ୍

ରାଉରକେଲା ଶିଳ୍ପାଞ୍ଚଳରେ ବିନା ଫୁଡ ଲାଇସେନ୍ସରେ ଚାଲିଥିବା ଆଇସ୍‌କ୍ରିମ କାରଖାନା ସିଲ୍ କରାଯାଇଛି। ପ୍ରାୟ ଦେଢ କ୍ୱିଣ୍ଟାଲ ଆଇସ୍‌କ୍ରିମ ରାଉରକେଲା ମହାନଗର ନିଗମ ଜବତ କରିଛି।ଏଠାରେ ନିମ୍ନମାନର ଆଇସକ୍ରିମ ସହ ଅତ୍ୟନ୍ତ ଅପରିଷ୍କାର ସ୍ଥାନରେ ଏହାକୁ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଥିଲା । ପୂର୍ବରୁ ମଧ୍ୟ ଫ୍ୟାକ୍ଟ୍ରିରେ ଆଇସକ୍ରିମ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ନେଇ ଅଭିଯୋଗ ହୋଇଥିଲା। ଏନେଇ ବାରମ୍ବାର କମ୍ପାନୀ ମାଲିକଙ୍କ ସହ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଫୁଡ୍ ଲାଇସେନ୍ସର ନବୀକରଣ କରିବା ପାଇଁ ନୋଟିସ ଦିଆଯାଇଥିଲା।

ଏହା ସତ୍ତ୍ବେ ଆଇସକ୍ରିମ ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ କର୍ଣ୍ଣପାତ କରିନଥିଲେ। ତେଣୁ ଗୁରୁବାର ରାଉରକେଲା ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନରଙ୍କ ନେତୃତ୍ବରେ ମହାନଗର ନିଗମର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଥିଲେ। ଆର୍‌ଏମ୍‌ସି ଫୁଡ୍‌ ଅଫିସା ସ୍ୱାଗତିକା ବେହେରା କହିଛନ୍ତି, ଏଠାରେ ତିଆରି ହେଉଥିବା ଆଇସ୍‌କ୍ରିମ୍‌ର ପ୍ରସ୍ତୁତି, ଏକ୍ସପାଏରୀ ତାରିଖ ଓ ବ୍ୟାଚ ନମ୍ୱର ରହୁନଥିଲା। ଯେଉଁ ଲାଇସେନ୍ସ ନମ୍ୱର ରହିଛି, ତାହା ସମ୍ପୂର୍ଣ୍ଣ ଫେକ୍‌। ପ୍ରାୟ ଦେଢ଼ ବର୍ଷ ତଳେ ତାଙ୍କୁ ଲାଇସେନ୍ସ କରିବା ପାଇଁ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେ ଲାଇସେନ୍ସ କରିନଥିଲେ। ତେଣୁ ନିୟମ ଅନୁସାରେ ଆଜି ସେହି ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି ବୋଲି ଫୁଡ୍‌ ଅଫିସର କହିଛନ୍ତି। ଆଗକୁ ଅନ୍ୟ ଆଇକ୍ରିମ୍‌ ଫ୍ୟାକ୍ଟ୍ରିରେ ଚଢ଼ଉ ହେବ ବୋଲି ସେ କହିଛନ୍ତି।