ବାବାଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି।

ରଙ୍ଗୀଲା ବାବାଙ୍କ ଲିପ୍‌ କିସ୍‌ ଦିଆ ଫଟୋ ପରେ ଭାଇରାଲ୍‌ ହେଉଛି ଡ୍ୟାନ୍ସ ଭିଡିଓ। ଯେଉଁଥିରେ ବାବା କିଛି ଯୁବକଙ୍କ ସହିତ ଉନ୍‌ମାଦିଆ ଡିଜେ ଗୀତରେ ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ଖାଲି ଡ୍ୟାନ୍ସ କରୁନାହାନ୍ତି, ପୂରା ଗୀତରେ ନିଜକୁ ହଜାଇ ଦେଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛନ୍ତି।ଗତ ୭ ତାରିଖରେ ଜଣେ ଯୁବତୀଙ୍କ ବାପା ତାଙ୍କ ଝିଅକୁ ଭଣ୍ଡବାପା କୈବଲ୍ୟ ଜାନି ଅପହରଣ କରିନେଇଥିବା ଅଭିଯୋଗ ଆଣିଥିଲେ। ତିଗିରିଆ ଅଞ୍ଚଳରେ ଥିବା ବାବାଙ୍କ ସୁତୀକ୍ଷ୍ଣ ଆଶ୍ରମରେ ଢେଙ୍କାନାଳ ଏବଂ ତିଗିରିଆ ପୁଲିସ ମିଳିତ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ଚଢ଼ାଉ ସମୟରେ ବାବାଙ୍କ କାରରୁ ବହୁ ଆପତ୍ତିଜନକ ସାମଗ୍ରୀ ମିଳିଥିଲା। ଅନେକ ଫଟୋ ବି ମିଳିଥିଲା, ଯାହା ଅତ୍ୟନ୍ତ ଅଶ୍ଳୀଳ ରହିଥିଲା। ଯୁବତୀଙ୍କ ସହିତ ବାବାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପୁଲିସ ହାତରେ ଲାଗିଥିଲା। ଏବେ କିଛି ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଛି। ଏବେ ବାବାଙ୍କର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ତେବେ ରଙ୍ଗୀଲା ବାବା ହେଉଛନ୍ତି କୈବଲ୍ୟ ଜାନି। ତାଙ୍କର କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲାରେ ରହିଛି ଆଶ୍ରମ। ବାବା ସେଠାରେ ନିଜ ସମର୍ଥକଙ୍କ ସହ ରୁହନ୍ତି। ପ୍ରତିଦିନ ବାବାଙ୍କ ପାଖରେ ଲାଗେ ଗହଳି ଚହଳି। ବାବା ନାଲି ଓ ଅଳଦୀଆ ଧୋତି ପରିଧାନ କରି ନିଜର ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଓ ମନୋସ୍କାମନା ପୂରଣ କରନ୍ତି।