ଆଜି ବାହୁଡ଼ିବେ ପରଂବ୍ରହ୍ମ: ଦିନ ୧୨ରେ ପହଣ୍ଡି
ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିବେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଅପେକ୍ଷା କରିଛନ୍ତି ତିନି ରଥ । ଲକ୍ଷଲକ୍ଷ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ହେବ। । ଏପଟେ ଶରଧା ବାଲିରେ ଝିପି ଝିପି ବର୍ଷା । ଝିପି ଝିପି ବର୍ଷାରେ ଭକ୍ତଙ୍କ ମହାପ୍ରଭୁଙ୍କ ପ୍ରତି ବଢ଼ି ଚାଲିଛି ଆବେଗ, ଉତ୍କଣ୍ଠା । ରଥ ଟାଣିବାକୁ ଭକ୍ତ ଉତ୍ସାହିତ । ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ | ବାହୁଡ଼ା ଯାତ୍ରା ପାଇଁ ଶ୍ରୀଗୁଣ୍ଡିଚାରେ ଯାନବାହନ ଲାଗି ଯେଉଁ କଟକଣା ଥିଲା ତାହା ଅପରିବର୍ତ୍ତିତ ରହିଛି ।
ପାସ୍ ଥିବା ଗାଡ଼ିକୁ ମାଳତିପାଟପୁରଠାରୁ ସିଧା ଯିବାକୁ ଦିଆଯିବ । ଉକ୍ତ ଗାଡ଼ିଗୁଡ଼ିକ ବୀରହରେକୃଷ୍ଣପୁରରୁ ବାଇପାସ୍ରେ ଛଡ଼ାଯିବ । ବିନା ପାସ୍ଧାରୀ ସମସ୍ତ ଯାନକୁ ମାଳତିପାଟପୁରଠାରୁ ଆର୍ଓବି ଦେଇ ଗ୍ରିଡ ଷ୍ଟେସନ ଛକରୁ ତାଳବଣିଆରେ ପାର୍କିଂକୁ ଯିବେ । ୨୧ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।
ସେଠାରେ ପୁଲିସ କର୍ମଚାରୀମାନେ ଉପସ୍ଥିତ ରହି ଶୃଙ୍ଖଳିତ ଭାବେ ଗାଡ଼ିଗୁଡ଼ିକୁ ପାର୍କିଂ କରାଇବେ । ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେଲେ ଟ୍ରାଫିକ କଟକଣା ପରିବର୍ତ୍ତନ କରାଯିବ । ଜଣେ ଶ୍ରଦ୍ଧାଳୁ କିଭଳି ଟ୍ରାଫିକକୁ ହଇରାଣ ହରକତ ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ମୋଟ ୨୦୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିବା ବେଳେ ସେଥିରୁ ୫୦ ପ୍ଲାଟୁନ୍ ଟ୍ରାଫିକ୍ ଡ୍ୟୁଟି କରିବେ । ରଥ ସୁରକ୍ଷାରେ ୬ ଆଇପିଏସ୍ଙ୍କୁ ନିୟୋଜିତ କରାଯାଇଛି ।
