ପକୃତି ଓ ପରମ୍ପରାର ନିଆରା ପର୍ବ ପବିତ୍ର ବକୁଳ ( ବଉଳ ) ଅମାବାସ୍ୟା …

ପୌଷମାସ ଅମାବାସ୍ୟା ଦିନଟି ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର ପୂଜା କଲେ, ଗଛରେ ବହୁତ ଫଳ ହୁଏ । ଏହି ପର୍ବ ପାଳନରୁ ଜଣାଯାଏ, ପୌଷମାସରେ ପ୍ରବଳ ଶୀତର ପ୍ରକୋପ ମଧ୍ୟରେ ଆମ୍ର ବୃକ୍ଷଗୁଡ଼ିକ ନବ ବସନ୍ତର ଶୁଭାଗମନର ସୂଚନା ଦେଇ ମୁକୁଳିତ ହୋଇ ଉଠୁଥିବା ସମୟରେ ପ୍ରକୃତି ଯେତେବେଳେ ନୂତନ ପୁଳକରେ ପୁଲକିତ ହୁଏ ।

ସେହି ଅବସରରେ ମନରେ ଅନେକ ସମ୍ଭାବନାକୁ ସ୍ଥାନଦେଇ ପ୍ରକୃତିପ୍ରେମୀ ଓଡ଼ିଆ, ବକୁଳ ଅମାବାସ୍ୟା ପର୍ବ ପାଳନ କରି ଆନନ୍ଦରେ ନିଜର ମହାନତାକୁ ବ୍ୟକ୍ତ କରିଥାଏ । ବକୁଳ ଅମାବାସ୍ୟା ଓଡ଼ିଶାର ଏକ ନିଜସ୍ଵ ପର୍ବ ଏହି ଦିନ ଘରେ ଘରେ ଗଇଁଠା ପିଠା ପ୍ରସ୍ତୁତ କରାଯାଏ ।

ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ । ଆଉ କେଉଁ କେଉଁ ସ୍ଥାନରେ ଘରେ କ୍ଷୀରିପିଠା ଇତ୍ୟାଦି ପ୍ରସ୍ତୁତ କରାଯାଇ ଆମ୍ବଗଛରୁ ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟଦେବୀଙ୍କ ଠାରେ ଭୋଗ ଲଗାଯାଇଥାଏ । କେଉଁ ଆବହମାନକାଳରୁ ଶ୍ରୀମନ୍ଦିରରେ ପାଳିତ ହେଉଥିବା କାରଣରୁ ଏହି ଆମୋଦଦାୟକ ପ୍ରକୃତିଭିତ୍ତିକ ପର୍ବଟି କେତେ ଯେ ପ୍ରାଚୀନ ତାହା ସହଜରେ ଅନୁମେୟ ।

ବଉଳ ଅମାବାସ୍ୟା ପାଳନର ବିଧିବିଧାନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ଦେଖାଯାଏ । ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ସକାଳ ଧୂପରେ ଗଇଁଠା ପିଠା ସହ ବଉଳ ଲାଗିହୁଏ । ଓଡ଼ିଆ ଘରଣୀମାନେ ପବିତ୍ରତାର ସହିତ ଉତ୍ସବଟିକୁ କେତେକ ଅଞ୍ଚଳରେ ପାରମ୍ପରିକ ରୀତିରେ ପାଳନ କରନ୍ତି । ଘରେ ଗଇଁଠା ପିଠା ତିଆରି କରାଯାଏ । ଉକ୍ତଦିନ ବାଡ଼ିରେ ଥିବା ଆମ୍ବ, ପଣସ, ନଡ଼ିଆ, ଗୁଆ, ପିଜୁଳି ଆଦି ଗଛ ମୂଳରୁ ଘାସ, ଅନାବନା ଗଛ ଓ ଲତା ପରିଷ୍କାର କରାଯାଏ । ଗୋବର ପାଣିରେ ଗଛମୂଳକୁ ଲିପାଯାଇଥାଏ । ତା’ପରେ ସେହି ଗଛଗୁଡ଼ିକରେ ଚିତା ପକାଯାଏ । ସନ୍ଧ୍ୟା ହେଲେ ଗଛଗୁଡ଼ିକୁ ହଳଦୀ ପାଣିରେ ଗାଧୋଇ ଦେଇ ସିନ୍ଦୂର, ଧୂପଦୀପ ଓ ଗଇଁଠା ପିଠାରେ ପୂଜା କରାଯାଇଥାଏ ।

କେତେକ ଅଞ୍ଚଳରେ ପୂଜା ପାଇଁ ପ୍ରସ୍ତୁତ ଗଇଁଠା ପିଠାକୁ ବଉଳଗୁଡ଼ ମଧ୍ୟ କୁହାଯାଏ । ଆମ୍ବ ବଉଳ ସଂଗ୍ରହ କରି ପିଠା ସହିତ ରଖାଯାଏ । ବଉଳ ଧରିଥିବା ଆମ୍ବଗଛ ମୂଳେ ଗଇଁଠା ପିଠା ଭୋଗ କରାଯାଏ ଏବଂ ଏହି ଭୋଗ ଓ ଆମ୍ବ ବଉଳ ପାଖ ପଡ଼ିଶା ବନ୍ଧୁ କୁଟୁମ୍ବଙ୍କୁ ବାଣ୍ଟି ପର୍ବଟିକୁ ପାଳନ କରାଯାଏ । ଆଉ କେଉଁ କେଉଁ ସ୍ଥାନରେ ଈଷାଣ କୋଣରେ ଓ ରୋଷେଇ ଘରେ ପୂଜା କରି ଭୋଗ ବଣ୍ଟାଯାଏ । ଆଉ କେଉଁ କେଉଁ ସ୍ଥାନରେ ମଧ୍ୟ ଘରେ କ୍ଷୀରପିଠା କରି ନୂଆ ବଉଳ ଆଣି ନିଜ ପରିବାରର ଇଷ୍ଟ ଦେବୀଙ୍କୁ ପୂଜା କରାଯାଏ । ସାଧାରଣତଃ ଗୋଷ୍ଠିଗତ ଭାବେ ରହୁଥିବା କୁଟୁମ୍ବରେ ବୟୋଜ୍ୟେଷ୍ଠ ପୁରୁଖା ବ୍ୟକ୍ତିଙ୍କ ଘରେ ଏହି ପୂଜା ହୋଇଥାଏ ଏବଂ ସମ୍ଭବ ସ୍ଥଳେ ଭାଇ ବିରାଦର ସମସ୍ତେ ଭୋଜିରେ ଏକାଠି ହୋଇ ପ୍ରଥମେ ବଉଳ ମିଶ୍ରିତ ଭୋଗ ସେବନ କରିଥାନ୍ତି ଓ ପରେ ବିଭିନ୍ନ ସୁମିଷ୍ଠ ଭୋଜନରେ ଆପ୍ୟାୟିତ ହୋଇଥାନ୍ତି । ଉକ୍ତ ସାମାଜିକ ପର୍ବଟିର ନାମ ଏବଂ ପାଳନ ବିଧିରୁ ସ୍ପଷ୍ଟ ଅନୁମେୟ ଯେ ନୂତନ ବଉଳକୁ ସ୍ୱାଗତ ଜଣାଇ ଓଡ଼ିଆ ଘରେ ଏହା ପର୍ବ ରୂପେ ସ୍ଥାନ ପାଇଛି ।