ଆମ ଉତ୍କଳୀୟ ସଂସ୍କୃତି ଓ ପରମ୍ପରା, ଐତିହ୍ୟ ରେ କଳିଙ୍ଗର ନୌବାଣିଜ୍ୟ ।।

ଭାରତୀୟ ଉପମହାଦେଶର‌ ପୂର୍ବ ଭୂଖଣ୍ଡରେ ଅବସ୍ଥିତ ‌ଓଡିଶା ରାଜ୍ୟ। ଏହା ପୂର୍ବରୁ କଳିଙ୍ଗ ବା ଉତ୍କଳଦେଶ ଥିଲା। ଉତ୍କଳ ରାଜ୍ୟ,ଗଙ୍ଗା ନଦୀର ଦକ୍ଷିଣ ତଟରୁ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା।ରାଜା ବୈକୁଣ୍ଠ ନାଥ ଦେ, ଭାଷା ଭିତ୍ତିରେ ଓଡ଼ିଶା ରାଜ୍ୟ ଗଠନ ଦାବିରେ,୧୯୦୨ମସିହାରେ ତତ୍କାଳୀନ ଭାଇସରାୟ ଓ ଗଭର୍ଣ୍ଣର ଜେନେରାଲ କର୍ଜନଙ୍କୁ ଇଂରାଜୀ ଭାଷାରେ ଯେଉଁ ପତ୍ର ଲେଖିଥିଲେ, ସେଥିରେ ଗଙ୍ଗବଂଶ ରାଜତ୍ଵ ସମୟରେ ଓଡ଼ିଶାର ସୀମା ଉତ୍ତରରେ ହୁଗୁଳି ନଦୀ ପାର ହୋଇ ତ୍ରୀବେଣୀ ଘାଟ ଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ, ସିଂହଭୂମରୁ ବସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା ବୋଲି ଉଲ୍ଲେଖ କରିଛନ୍ତି। କବି ଗୋଦାବରୀଶ ମହାପାତ୍ରଙ୍କ ଉଠ କଙ୍କାଳ କବିତାରେ,”ନିଜାମ ଭୁବନେ କଳବର୍ଗର ଅର୍ଗଳ ଏଡି ଦିନେଗଜପତି ବୀର ‘ବେରାର’ ଭେଦିଲା ଜୟ ଗୌରବ ଗାନେ।ଦୁର୍ବାର ଗଡ଼ ‘ଦେବର କୋଣ୍ଡା’ କହେ ଆଜି ସେହି କଥାବାରବାଟୀ ବୀର ଦେଇଥିଲା ତାର ରଣେ ଉନ୍ନତ ମଥା”।ମହାନଦୀ, ବଂଶଧାରା, ଗୋଦାବରୀ, ଗଙ୍ଗା ଆଦି ନଦୀ ଚିରସ୍ରୋତା ହୋଇଥିବାରୁ ପୂର୍ବ ତଟରୁ ଆଭ୍ୟନ୍ତରୀଣ ଅଞ୍ଚଳ ସହିତ ଯୋଗାଯୋଗ ସମ୍ଭବ ହୋଇ ପାରିଥିଲା। ପାଣ୍ଡବ ମାନେ ଗଙ୍ଗା ସାଗର ସଙ୍ଗମ ଠାରୁ ବେଳାଭୂମିରେ ପଦଯାତ୍ରା କରି ପବିତ୍ରମୟ ଉତ୍କଳ ମାଟିରେ ପଦାର୍ପଣ କରିଥିଲେ। ସଂସ୍କୃତ କବି କାଳିଦାସ ତାଙ୍କ ରଚିତ ରଘୁବଂଶ କାବ୍ୟରେ କଳିଙ୍ଗ ସମ୍ରାଟଙ୍କୁ ମହୋଦଧିପତି ନାମରେ ନାମିତ କରିଛନ୍ତି। ସ୍ବପ୍ନିଳ ଆଭା ମଣ୍ଡିତ ପଞ୍ଚସଖା ସାହିତ୍ୟରେ ଓଡ଼ିଶାର ନଦୀ ସମୂହ ସାମୁଦ୍ରିକ ବାଣିଜ୍ଯର ଦ୍ଵାର ସ୍ଵରୁପ। ଭକ୍ତକବି ଦୀନକୃଷ୍ଣ ଦାସଙ୍କ ‘ସିନ୍ଧୁ’ ଗ୍ରନ୍ଥରେ ବାଣିଜ୍ୟ ତରୀ ନିର୍ମାଣ ପ୍ରଣାଳୀ ବର୍ଣ୍ଣିତ। ଓଡ଼ିଶାର ପାଲା, ଦାସକାଠିଆ ଆଦି ରେ ଓଡ଼ିଆ ସାଧବପୁଅ ମାନଙ୍କର କୃତିତ୍ୱକୁ ଅନୁଭବ କରିବା ସହିତ ଜଣାଯାଏ ଯେ ସେମାନେ ସଂସ୍କୃତ,ପାଲି, ବଙ୍ଗଳା,ନାଗରୀ,ଫରାସୀ ଆଦି ବହୁ ଭାଷାରେ ପ୍ରବୀଣ ଥିଲେ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟରୁ ଉତ୍କଳର ନୌବାଣିଜ୍ଯ ସମ୍ପର୍କରେ ସୂଚନା ମିଳେ। ଦନ୍ତୁରିତ ଉପକୂଳ ଓ ନଦୀ ମାନଙ୍କ ମୁହାଣରେ ଅବସ୍ଥିତ ପ୍ରାଚୀନ ଉତ୍କଳର‌ ସାମୁଦ୍ରିକ ପୋତ ଯୋଗୁଁ ‌ସିଂହଳ, ବର୍ମା, ଜାଭା, ସୁମାତ୍ରା,ବୋର୍ଣ୍ଣିଓ, ବାଲି, ଦକ୍ଷିଣ ପୂର୍ବ ଏସିଆ ର ଦେଶ ସମୁହ ଓ ଚୀନ ସହ ଅତି ସହଜରେ ବାଣିଜ୍ୟ କାରବାର ହୋଇ ପାରୁଥିଲା। ପ୍ରାଚୀନ ଭୂଗୋଳ-ବିତ୍ ଟୋଲେମି ଦ୍ଵିତୀୟ ଶତାବ୍ଦୀରେ ଉଲ୍ଲେଖ କରିଥିବା କିଛି ବନ୍ଦରର ନାମ ହେଲା ନାନି ଗାଇନ୍(ପୁରୀ),କନ୍ନଗାର୍(କୋଣାର୍କ),କଟିକର୍ଦାମ(କଟକ)। କଳିଙ୍ଗ ବାସୀଙ୍କ ଏକଛତ୍ର ସାମୁଦ୍ରିକ ବାଣିଜ୍ଯ ପାଇଁ ବଙ୍ଗୋପସାଗରକୁ କଳିଙ୍ଗ ସାଗର କୁହାଯାଉଥିଲା।ଏ ବିଷୟରେ ଷଷ୍ଠ ଶତାବ୍ଦୀରେ ରଚିତ ମଞ୍ଜୁଶ୍ରୀ ମୂଳକଳ୍ପରୁ ସୂଚନା ମିଳେ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀ ବେଳକୁ ଆମ ସାମୁଦ୍ରିକ ବାଣିଜ୍ଯ ଏକ ସମୃଦ୍ଧ କଳିଙ୍ଗ ଗଠନରେ ସହାୟକ ହୋଇସାରିଥିଲା। ସୋମବଂଶ, ଗଙ୍ଗବଂଶ ଓ ଗଜପତି ଶାସନ କାଳରେ କଳିଙ୍ଗର ନୌବାଣିଜ୍ଯ ସମୃଦ୍ଧି ଲାଭ କରିଥିଲା। ପ୍ରାଚୀନ ବନ୍ଦର ମାନଙ୍କ ମଧ୍ୟରେ ତାମ୍ରଲିପ୍ତି,ଚେଲିତାଲୋ,ପାଲୁର,ପିଥୁଣ୍ଡ ଓ କଳିଙ୍ଗପଟ୍ଟନମ୍ ଇତ୍ୟାଦି କଳିଙ୍ଗର ପ୍ରମୁଖ ବନ୍ଦର ଭାବରେ ଗଣ୍ଯ ହେଉଥିଲେ। ପଞ୍ଚଦଶ ଶତାବ୍ଦୀରେ ରଚିତ ସାହିତ୍ୟରେ ବାଲେଶ୍ଵର, ପିପିଲି, ଗଞ୍ଜାମ,ହରିଶପୁର, ଚାନ୍ଦବାଲି ଓ ଧାମରା ବନ୍ଦର ପ୍ରମୁଖ ସ୍ଥାନ ଗ୍ରହଣ କରିଛି। ସପ୍ତଦଶ ଶତାବ୍ଦୀରେ ବାଲେଶ୍ଵର ଜିଲ୍ଲାର ବନ୍ଦର ମାନଙ୍କ ମଧ୍ୟରେ ପିପିଲି,ସାର୍ଥା,ଛାନୁଆ, ଇରଛନପୁର, ଚାନ୍ଦବାଲି, ଚୁଡ଼ାମଣି ଓ ଧାମରା ପ୍ରମୁଖ ଥିଲେ।ପ୍ରାଚୀନ ତାମ୍ରଲିପ୍ତିର ଆଧୁନିକ ନାମ ତମଲୁକ(ମେଦିନୀପୁର ଜିଲ୍ଲାରେ ଅବସ୍ଥିତ)। ଅଶୋକ ଙ୍କ କନ୍ୟା ସଂଘମିତ୍ରା ତାମ୍ରଲିପ୍ତି ବନ୍ଦରରୁ ସିଂହଳ ଦ୍ଵୀପକୁ ଯାତ୍ରା କରିଥିଲେ। ଅନେକ ଭାରତୀୟ ସାହିତ୍ୟ, ସିଂହଳୀୟ ସାହିତ୍ୟ ଓ କୈାଟିଲ୍ଯଙ୍କ ଅର୍ଥଶାସ୍ତ୍ରରେ ଏହି ବନ୍ଦରର ନାମ ଉଲ୍ଲେଖ ଅଛି। ଚୀନ ପରିବ୍ରାଜକ ହୁଏନସାଂଙ୍କ ମତରେ ଚେଲିତାଲୋରେ ଏକ ବନ୍ଦର ଥିଲା। ଏହା ମଧ୍ୟ ବୋୖଦ୍ଧ ଧର୍ମର ଏକ ପ୍ରଧାନ କେନ୍ଦ୍ର ଥିଲା। ଏହି ବନ୍ଦରର ଅବସ୍ଥିତି ସମ୍ପର୍କରେ କେତେକ ଐତିହାସିକ ଏହା ଚିତ୍ରୋତ୍ପଳା ନଦୀ କୂଳରେ ଅବସ୍ଥିତ ବୋଲି ମତପୋଷଣ କରନ୍ତି। ଅନ୍ୟ କେତେକଙ୍କ ମତରେ ଏହି ବନ୍ଦର ଟି କୋଣାର୍କ ନିକଟରେ ଚନ୍ଦ୍ରଭାଗା ନଦୀ ମୂହାଣରେ ଅବସ୍ଥିତ ଥିଲା। ପ୍ରଖ୍ୟାତ ପ୍ରତ୍ନତତ୍ତ୍ଵବିତ୍ ଜେନେରାଲ କାନିଂହାମଙ୍କ ମତାମତ ପ୍ରଣିଧାନଯୋଗ୍ୟ। ତାଙ୍କ ମତରେ ଚେଲିତାଲେ ନାମ ହେଉଛି ଚରିତପୁର ନାମର ରୂପାନ୍ତର ,ଯାହାକୁ ସେ ଆଧୁନିକ ପୁରୀ ସହିତ ଚିହ୍ନଟ କରିବାକୁ ଚେଷ୍ଟା କରିଥିଲେ। ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀ ମୁହାଣ ରେ ଅବସ୍ଥିତ ଆଧୁନିକ ପାଲୁର ଠାରେ ଏକ ଐତିହାସିକ ବନ୍ଦର ଥିଲା। ପାଶ୍ଚାତ୍ୟ ଦେଶର ଭୂଗୋଳ ବିଶାରଦ ଟଲେମୀଙ୍କ ମତରେ ପାଲୁର ବନ୍ଦରରୁ ସୁଦୂର ପ୍ରାଚ୍ୟ ଦେଶ ମାନଙ୍କ ସହିତ ସମୁଦ୍ର ପଥରେ ବାଣିଜ୍ୟ କାରବାର ହୋଇ କଳିଙ୍ଗର ଅର୍ଥନୈତିକ ସମୃଦ୍ଧି ସମ୍ଭବ ହୋଇଥିଲା। ପ୍ରତ୍ନତାତ୍ବିକ ଖନନ ପରେ ପାଲୁରରୁ ଚାଇନା ମାଟିର ପାତ୍ର ଓ ରୋମ୍ ର ତତ୍କାଳୀନ ସମୟର ପାତ୍ର ପ୍ରାପ୍ତ ହୋଇଛି।ଏକ ପାର୍ଶ୍ୱରେ ବ୍ରାହ୍ମ ଲିପି ସହିତ କୁଶାଣ ରାଜାଙ୍କ ଚିତ୍ର ଏବଂ ଅନ୍ୟ ପାର୍ଶ୍ୱରେ ରୋମାନ ଭାଷାରେ ଲେଖା ସହିତ ରୋମାନ ପରି ମୁଣ୍ଡ ରହିଛି। ଏଥିରୁ ସ୍ପଷ୍ଟ ଅନୁମିତ ହୁଏ ଯେ ପାଲୁର୍ ଏକ ଅନ୍ତର୍ଜାତୀୟ ବନ୍ଦର ଥିଲା। ପର୍ତ୍ତୁଗୀଜ ମାନଙ୍କ ଦ୍ଵାରା ବଙ୍ଗୋପସାଗରରେ ହୋଇଥିବା ଅତ୍ୟାଚାର ଯୋଗୁଁ ଏହି ବନ୍ଦର ଧ୍ଵଂସ ହୋଇ ଥିଲା। କେତେକ ଐତିହାସିକ ଏହି ବନ୍ଦରକୁ ଗୋପାଳପୁର ସହିତ ଚିହ୍ନଟ କରିଛନ୍ତି । ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ଓ ପ୍ରାଚୀନ ଜୈନ ଗ୍ରନ୍ଥ ଅନୁସାରେ ପିଥୁଣ୍ଡ ଠାରେ ଏକ ବନ୍ଦର ଥିଲା। ଏହା ଆଧୁନିକ କଳିଙ୍ଗପଟ୍ଟନମ୍ ନିକଟରେ ଅବସ୍ଥିତ ବୋଲି କେତେକ ଐତିହାସିକ ମତପୋଷଣ କରନ୍ତି।

କେତେକଙ୍କ ମତରେ ଏହା ମଚ୍ଛଲିପଟ୍ଟନମ୍। ନାଗାବଳୀ ନଦୀ ମୁହାଣରେ ଅବସ୍ଥିତ କଳିଙ୍ଗପଟ୍ଟନମ୍ ,କଳିଙ୍ଗ ସାମ୍ରାଜ୍ୟର ଏକ ମୁଖ୍ୟ ବନ୍ଦର ଥିଲା ଏବଂ କିଛି ଦିନ ପାଇଁ କଳିଙ୍ଗର ରାଜଧାନୀ ଥିଲା।ଗୋଳବାଇ ଶାସନରେ ହୋଇଥିବା ପ୍ରତ୍ନତାତ୍ବିକ ଖନନରୁ ପ୍ରସ୍ତର ଯୁଗ, ତାମ୍ର ଯୁଗ ଓ ତା ପରବର୍ତ୍ତୀ ସମୟର (ଖ୍ରୀଷ୍ଟପୂର୍ବ ୨୩୦୦ ରୁ ୯୦୦ ମଧ୍ୟରେ) ଅନେକ ଭଗ୍ନାବଶେଷ ଉଦ୍ଧାର କରାଯାଇଛି। ଆବିଷ୍କୃତ ଅବଶେଷାଂଶରୁ ଜଣାଯାଏ ଯେ ଏଠାରେ ଏକ ପ୍ରାଚୀନ ବୋଇତ ନିର୍ମାଣ କେନ୍ଦ୍ର ଥିଲା। ତାମ୍ର ଯୁଗୀୟ ସାମଗ୍ରୀ ମାନଙ୍କ ସହିତ ଭିଏତନାମରୁ ମିଳିଥିବା ତତ୍କାଳୀନ ସାମଗ୍ରୀ ମାନଙ୍କର ସାମଞ୍ଜସ୍ୟ ରହିଛି। ଏହି ଦୁଇ ଦେଶ ମଧ୍ୟରେ ପ୍ରାଚୀନ କାଳରେ ବାଣିଜ୍ୟ କାରବାର ହେଉଥିବା ଅନୁମାନ କରାଯାଏ। କେଶରୀ ବଂଶର ରାଜାଙ୍କ ସମୟରେ ଚିଲିକା ହ୍ରଦରେ ଏକ ବନ୍ଦର ଥିଲା। ଚିଲିକା କୂଳରୁ ପୋତ ସାହାଯ୍ୟରେ ଲୁଗା,କଉଡ଼ି,ମୁକ୍ତା ଆଦି ପଦାର୍ଥର ବାଣିଜ୍ୟ କାରବାର ହେଉଥିଲା।କେଶରୀ ବଂଶର ରାଜାଙ୍କ ସମୟରେ ସମୁଦ୍ର ଯାତ୍ରା ଓ ପୋତାରୋହଣ ପ୍ରଥା ମାନ ପ୍ରଚଳିତ ଥିଲା। ରତ୍ନ ଗର୍ଭା ଗୈାରବ ବିମଣ୍ଡିତ କଳିଙ୍ଗର କୀର୍ତ୍ତି ଏବେ ବି ଦୀପ୍ତିମନ୍ତ।ଓଡିଆ ସାଧବପୁଅ ମାନେ ଆମ ରାଜ୍ୟର ସୁକ୍ଷ୍ମ ବସ୍ତ୍ର, ହସ୍ତଶିଳ୍ପ ସାମଗ୍ରୀ, ପାଟ ବସ୍ତ୍ର, ପଟ୍ଟଚିତ୍ର, ତାରକସି କାମ, କଂସା ବାସନ,ଚାନ୍ଦୁଆ, ପାନପତ୍ର ଆଦି ନେଇ ବିଦେଶରେ ବିକ୍ରି କରୁଥିଲେ। ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଋଷିକୂଲ୍ୟା ଆଦି ନଦୀରେ ଆଭ୍ୟନ୍ତରୀଣ ଅଞ୍ଚଳରୁ ପଣ୍ଯଦ୍ରବ୍ଯ ଆସି ବନ୍ଦର ମାନଙ୍କରେ ଗଚ୍ଛିତ ରହୁଥିଲା।ସେହି ପ୍ରାଚୀନ କାଳରୁ ବ୍ରହ୍ମଦେଶ, ଥାଇଲାଣ୍ଡ, କାମ୍ବୋଡିଆ, ଜାଭା, ସୁମାତ୍ରା, ବୋର୍ଣ୍ଣିଓ, ଶ୍ରୀଲଙ୍କା,ଚୀନ,ରୋମ, ଜାପାନ ତଥା ଆଫ୍ରିକା ସହିତ ଓଡ଼ିଶାର ବାଣିଜ୍ୟିକ,ସାଂସ୍କୃତିକ, ଓ ଅର୍ଥନୈତିକ ସମ୍ପର୍କ ରହିଛି। ବର୍ତ୍ତମାନର ମାଲେସିଆରେ ଭାରତୀୟ ମାନେ ‘କେଲିଙ୍ଗ’ ନାମରେ ପରିଚିତ। ଚୀନ ସହ ସମ୍ପର୍କ ଫା-ହିଏନ୍(ଖ୍ରୀଷ୍ଟାବ୍ଦ ୩୯୯ ରୁ ୪୧୧)ଙ୍କ ବିବରଣୀରୁ ମିଳେ।ଦତ ବଂଶର କଳିଙ୍ଗ ରାଜା ଗୂହ ଶିବଙ୍କ ସହିତ ସିଂହଳ ରାଜା ମହାସେନଙ୍କର ,ଖ୍ରୀଷ୍ଟାବ୍ଦ ୨୭୭ରୁ ୩୦୪ ମଧ୍ୟରେ ମିତ୍ରତା ସ୍ଥାପିତ ହୋଇଥିବାର ବିବରଣୀ ରହିଛି।ଓଡ଼ିଆ ମାନେ ସେହି ସବୁ ଦେଶରେ ଜଗନ୍ନାଥ ଓ ବୋୖଦ୍ଧ ସଂସ୍କୃତିର ପ୍ରଚାର ପ୍ରସାର କରିଥିଲେ। ଓଡ଼ିଶାର ନୌବାଣିଜ୍ଯ ସମ୍ପର୍କିତ ଅନେକ ତଥ୍ୟ ବୋୖଦ୍ଧ ଧର୍ମଯାଜକ ବିଜ୍ଞଦତ୍ତଙ୍କ ସ୍ବରଚିତ ବୁଦ୍ଧ ଜୀବନ ଚରିତ ଓ କୈାଟିଲ୍ଯଙ୍କ ଅର୍ଥଶାସ୍ତ୍ରରେ ଉଲ୍ଲେଖ ରହିଛି।ମନ୍ଦିର ମାଳିନୀ ଉତ୍କଳର ଗର୍ବ ଓ ଗୌରବ ହେଉଛି ତା’ର ପ୍ରତ୍ନତାତ୍ତ୍ୱିକ ବୈଭବ। ଉତ୍କଳୀୟ ମନ୍ଦିର ମାନଙ୍କର ପ୍ରସ୍ତର ଗାତ୍ରରେ ଅଙ୍କିତ କଳା ଓ କାରୁକାର୍ଯ୍ୟ ରେ ଆମ ଉତ୍କଳର ସମୃଦ୍ଧି ସମ୍ପର୍କରେ ସୂଚନା ମିଳେ। ଭୁବନେଶ୍ୱର ବ୍ରହ୍ମେଶ୍ଵର ମନ୍ଦିର ନିକଟରୁ ପ୍ରାପ୍ତ ଏକ କଳାକୃତି ଆମ ଉତ୍କଳ ସଂସ୍କୃତିର ।ବର୍ତ୍ତମାନ ଏହା ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସଂରକ୍ଷଣ କରି ରଖାଯାଇଛି। ବୋଇତରେ ହାତୀ ବୁହା ହେଉଥିବାବେଳେ ସେଥିରେ ନାବିକ ଓ ଅନ୍ୟ ଯାତ୍ରୀମାନେ ମଧ୍ୟ ବସିଥିବା ଦୃଶ୍ୟ ପ୍ରଦର୍ଶିତ ହୋଇଛି। କୋଣାର୍କର କାରୁକାର୍ଯ୍ୟର ଏକ ଚିତ୍ରରେ କଳିଙ୍ଗ ସମ୍ରାଟଙ୍କୁ ଗୋଟିଏ ଜିରାଫ୍ ଉପହାର ଦିଆଯାଉଥିବାର ଦୃଶ୍ୟ ଏବଂ ଅନ୍ୟ ଏକ କାରୁକାର୍ଯ୍ୟରେ କୈାଣସି ଏକ ତୀରରେ ମାର୍ତ୍ତଣ୍ଡ ଭୈରବ ମାନେ‌ ନୃତ୍ୟ ପରିବେଷଣ କରୁଥିବାର ଦୃଶ୍ୟ , ପର୍ଯ୍ୟଟକ ମାନଙ୍କ ଦୃଷ୍ଟି ଆକର୍ଷଣ କରେ। ଶ୍ରୀମନ୍ଦିରର ଭୋଗ ମଣ୍ଡପରେ ପ୍ରସ୍ତରରେ ଏକ ସୁନ୍ଦର ବୋଇତର ଚିତ୍ର ଅଙ୍କିତ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ଦେଓକୁଣ୍ଡ ଠାରେ ଦେବୀ ଅମ୍ବିକା ଏକ ବୋଇତ ଉପରେ ବିରାଜମାନ କରିଛନ୍ତି।ବ୍ରହ୍ମେଶ୍ଵର ମନ୍ଦିର ନିକଟ ଏକ ବରଗଛ ମୂଳେ ମା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତିର ଆସ୍ଥାନ ତଳେ ଏକ ବୋଇତ ରହିଛି। କୋଲକାତାରେ ଥିବା ‘ଭାରତୀୟ ସଂଗ୍ରହାଳୟ’ରେ ଓଡ଼ିଶାରୁ ଏକ କାରୁକାର୍ଯ୍ୟ ଖଚିତ ବଡ଼ ବୋଇତ ,ସମ୍ଭବତଃ କୋଣାର୍କରୁ ନେଇ ରଖାଯାଇଛି।

ଓଡ଼ିଶାର ନୌବାଣିଜ୍ଯର ଇତିହାସ ଓ ସଂସ୍କୃତିକୁ ଜନମାନସରେ ଉଜ୍ଜୀବିତ କରି ରଖିବା ପାଇଁଁ କଟକର ଜୋବ୍ରା ଠାରେ ଓଡିଶା ରାଜ୍ୟ ନୌବାଣିଜ୍ଯ ସଂଗ୍ରହାଳୟ ସଦା ଚେଷ୍ଟିତ। ଭୂବନେଶ୍ଵର ରାଜ୍ୟ ସଂଗ୍ରହାଳୟରେ ସଂଗୃହିତ ବିଭିନ୍ନ ଚିତ୍ରପଟରେ ଅନେକ ତରୀ ଓ ବୋଇତର ଦୃଶ୍ୟ ଦୃଷ୍ଟି ଆକର୍ଷଣ କରେ। ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ,କଳାଭୂମିରେ ଉତ୍କଳୀୟ ପରମ୍ପରା ର ନିଦର୍ଶନ ସ୍ବରୂପ ବୋଇତ, ପଟ୍ଟଚିତ୍ର, ଚାନ୍ଦୁଆ, ଛତ୍ର,ପ୍ରସ୍ତର କାରୁକାର୍ଯ୍ୟ ଇତ୍ୟାଦି ରଖା ଯାଇଛି।ଖୁଦୁରୁକୁଣୀ ଓଷା ମା ମଙ୍ଗଳାଙ୍କ ପାଇଁ ହୁଏ।ଏହି ଓଷା ଓଡ଼ିଶାର ଶାକ୍ତ ସଂସ୍କୃତିର ପରିଚୟ ଦେବା ସହିତ କଳିଙ୍ଗ ସାମ୍ରାଜ୍ୟର ନୌବାଣିଜ୍ଯର ଗୈାରବ ମୟ ଗାଥା ବହନ କରିଥାଏ। କାର୍ତ୍ତିକ ପୂର୍ଣ୍ଣିମା ଦିନ ସମଗ୍ର ଓଡ଼ିଶାରେ ପାଳିତ ହେଉଥିବା ବୋଇତ ବନ୍ଦାଣ ଏହି ମହାନ୍ ଗୈାରବମୟ ଇତିହାସର ସ୍ମୃତି ଚାରଣ।ଉପକୂଳ ଓଡ଼ିଶାରେ ପ୍ରତିଷ୍ଠିତ ବତୀଘରର ପ୍ରତୀକ ସ୍ଵରୂପ ଅତି ଉଚ୍ଚରେ ଆକାଶ ଦୀପ ମାନ ରଖି ପୂଜା କରାଯାଏ।ଓଡ଼ିଶାରେ ବହୁଳ ଭାବେ ଉତ୍ପାଦିତ କଖାରୁ ବା ବୋଇତି କଖାରୁକୁ ଭଦ୍ରକର ଲୋକମାନେ ବୋଇତାଳୁ କହନ୍ତି। ଏହି ଶବ୍ଦର ଉତ୍ପତ୍ତି କଳିଙ୍ଗ ନୌବାଣିଜ୍ୟର ମାଧ୍ୟମ ବୋଇତରୁ। ଓଡ଼ିଶାର ଜଣେ ଶାସକ ବଳୀଙ୍କ ନାମାନୁସାରେ ବାଲି ଦ୍ଵୀପ ଏବଂ ଏହା ସହିତ ଆମର ସମ୍ପର୍କ ଖ୍ରୀଷ୍ଟପୂର୍ବ କାଳରୁ। ଯଦିଓ ଜାଭା, ସୁମାତ୍ରା ଓ ବୋର୍ଣ୍ଣିଓ ଆଦି ଦ୍ଵୀପ ମାନଙ୍କୁ ଯାତ୍ରା କରୁଥିଲେ, ତଥାପି ବାଲି ଦ୍ଵିପ ଥିଲା ବାଣିଜ୍ୟିକ ପେଣ୍ଠସ୍ଥଳୀ।ଆମ ଓଡ଼ିଶା ସବୁବେଳେ ମହାନ୍।।ଆଲେଖ୍ୟ:: ବାବାଜୀ ଚରଣ ଦାସ ।ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର-୧୯।