ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ଵର


କଟକ ଜିଲ୍ଲାର ଏକ ପ୍ରମୁଖ ଶୈବପୀଠ ହେଉଛି ଧବଳେଶ୍ୱର ମନ୍ଦିର। ଭୁବନେଶ୍ୱର ଠାରୁ ବାରଙ୍ଗ ଓ ନରାଜ ବାଟେ ଗଲେ ଧବଳେଶ୍ଵର ଦ୍ଵୀପର ଦୂରତା ୫୨ କି.ମି. ଓ ଏହି ଦ୍ଵୀପ ବା ଅନନ୍ତ ବାସୁଦେବ କୁଦରେ ଅବସ୍ଥିତ ପ୍ରଭୁ ଧବଳେଶ୍ଵରଙ୍କ ମନ୍ଦିର। ମହାନଦୀ ପରିବେଷ୍ଟିତ ଏହି ମନୋରମ ଦ୍ଵୀପକୁ ଗୋଟିଏ ପଟୁ ସଂଯୋଗ କରୁଛି ଝୁଲା ପୋଲ। ଏହା ଏସିଆର ଦୀର୍ଘତମ ପାଦଚଲା ଝୁଲାପୋଲ।ପୂର୍ବରୁ ଭକ୍ତ ମାନେ କେବଳ ଡଙ୍ଗାରେ ମହାନଦୀ ପାର ହୋଇ ଧବଳେଶ୍ୱର ମନ୍ଦିର କୁ ଯାଉଥିଲେ। କଟକ, ଢେଙ୍କାନାଳ ଓ ମଙ୍ଗୁଳି ଛକରୁ ଏହି ପୀଠକୁ ଏବେ ସୁବିଧାରେ ଯାଇହେବ।
କଳିଙ୍ଗର ରାଜଧାନୀ ରାଜପୁରୀରେ ଚିତ୍ରାଙ୍ଗଦଙ୍କର ସ୍ଵୟମ୍ବର ସଭା ଅନୁଷ୍ଠିତ ହୋଇଥିଲା ବୋଲି ମହାଭାରତରେ ଉଲ୍ଲେଖ ରହିଛି। କଳିଙ୍ଗର ରାଜା ଶ୍ରୁତାୟୁ , ତାଙ୍କ ତିନି ପୁଅ ଭାନୁମାନ,କେତୁମାନ ଓ ଶୁକ୍ରମାନ ତଥା ଜଗତ କ୍ଷୟକର ଯୁଦ୍ଧ ବିଷୟରେ ଏଥିରେ ବର୍ଣ୍ଣନା ରହିଛି।

କନିଷ୍ଠ ପାଣ୍ଡବ ସହଦେବ,କଳିଙ୍ଗ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ। ଜ୍ୟେଷ୍ଠ ପାଣ୍ଡବ ଯୁଧିଷ୍ଠିରଙ୍କ ତୀର୍ଥ ଯାତ୍ରା ସମୟରେ ସେ କଳିଙ୍ଗ ପରିଦର୍ଶନ କରିଥିବା ବିଷୟରେ ମହାଭାରତ ବନପର୍ବରୁ ଜଣାପଡେ। ଏହି ପୂଣ୍ୟ ଭୂମିରେ ପ୍ରବାହିତ ପୂଣ୍ୟତୋୟାର ନୈସର୍ଗିକ ପରିବେଶରେ ପାଣ୍ଡବ ମାନେ ଧବଳେଶ୍ଵର ଯାଇଥିବା ଗ୍ରହଣୀୟ। ପରବର୍ତ୍ତୀ ସମୟରେ ଯୁଧିଷ୍ଠିର-ଯମ୍ଵେଶ୍ଵର, ଭୀମ-ମାର୍କଣ୍ଡେୟ, ଅର୍ଜୁନ- ଲୋକନାଥ, ନକୁଳ-କପାଳମୋଚନ ଓ ସହଦେବ- ନୀଳକଣ୍ଠ ରୂପେ ଉତ୍କଳରେ ପୂଜିତ।ଜନଶ୍ରୁତି ଅନୁସାରେ ଜଣେ ଦରିଦ୍ର ବ୍ୟକ୍ତି ଗୋଟିଏ କଳାଗାଇ ଚୋରି କରି ନେଇ ଯାଉଥିଲା।ଚୋର ଧରିବାକୁ ବହୁତ ଲୋକ ଗୋଡାଇଲେ। ଚୋରଟି ଏ ବିପଦରୁ ରକ୍ଷା ପାଇବା ପାଇଁ ଧବଳେଶ୍ଵର ପୀଠରେ ଭଗବାନ ଶିବଙ୍କ ଶରଣାପନ୍ନ ହେଲା। ସେହି କଳା ଗାଇ ଧଳା ରଙ୍ଗର ହୋଇ ଯାଇଥିଲା। ଲୋକମାନେ ନପାଇ ନିରାଶ ହୋଇ ଫେରି ଯାଉଥିଲେ। ଚୋରଟି ସମସ୍ତଙ୍କୁ ଡାକିଲା ଓ ସବୁ କଥା କହିଦେଲା।ରଙ୍ଗ ପରିବର୍ତ୍ତନକାରୀ ଧବଳେଶ୍ଵର ଶିବଲିଙ୍ଗଙ୍କ ରଙ୍ଗ କଳା ଓ ଧଳାର ସମ୍ମିଶ୍ରଣ।ଏହି ପୀଠକୁ ହରିହର ପୀଠ ବୋଲି ଅନେକ ପଣ୍ଡିତ ମତବ୍ୟକ୍ତ କରନ୍ତି।
ଧବଳେଶ୍ଵର ଙ୍କୁ ଆରାଧନା କରି ଦାମ ପଣ୍ଡା, ଭୁୟାଁ ବଂଶର ଜଣେ ମହିଳାଙ୍କୁ ପାଗିଳି ଅବସ୍ଥାରୁ ମୁକ୍ତ କରିଥିଲେ ବୋଲି ଜନଶ୍ରୁତି ରହିଛି।ମଞ୍ଚେଶ୍ଵରର ଚନ୍ଦ୍ରମଣି ନନା ଧବଳେଶ୍ଵର ଙ୍କ କୃପାରୁ ମନ୍ତ ଶକ୍ତି ବଳରେ ବହୁତ ଲୋକଙ୍କୁ ରୋଗମୁକ୍ତ କରିଥିଲେ ବୋଲି ବିଶିଷ୍ଟ ପ୍ରାବନ୍ଧିକ ରବି ନାରାୟଣ ମହାପାତ୍ର ଉଲ୍ଲେଖ କରିଛନ୍ତି। ଧବଳେଶ୍ଵର ଙ୍କ ପୂଜକ ନବକିଶୋର ପତ୍ରି ରତାଗଡର ଜଣେ ଯାତ୍ରୀଙ୍କ ବିଷୟରେ କହିଛନ୍ତି ଯେ ସେହି ଯାତ୍ରୀ ଜଣକ ଧବଳେଶ୍ଵର ଙ୍କ ଗଜ ଭୋଗ ନେଇ ଗାଁ କୁ ଫେରୁଥିବା ବାଟରେ ଶ୍ଵଶୁର ଘରକୁ ଗଲା। ଶ୍ଵଶୁର ଘରୁ ଶୁଖୁଆ ବ୍ଯାଗ ନେଇ ଘରକୁ ଆସିବାପାଇଁ ବସ୍ ରେ ବସିଲା। ବସ୍ ଭିତରେ ଗଜ ଥିବା ବ୍ଯାଗ ରୁ ସର୍ପ ଗର୍ଜନ ଶୁଭିଲା। ସେହି ଯାତ୍ରୀ ଜଣକ ଗଜ ଥିବା ବ୍ଯାଗ ଓ ଶୁଖୁଆ ବ୍ଯାଗକୁ ଫୋପାଡି ଦେଇ ଧବଳେଶ୍ବର ପୀଠକୁ ଫେରିଲା। ସେଠାରେ ଦୋଷ ସ୍ଵୀକାର କରି ଅଧିଆ ପଡ଼ିଲା। ଭଗବାନ ଧବଳେଶ୍ଵର ସେ ଭକ୍ତକୁ କ୍ଷମା କରିବାରୁ ସେ ପୁଣି ଗଜ ଭୋଗ ନେଇ ଗାଁକୁ ଫେରିଲା। ଭଗବାନ ଶିବ ହେଉଛନ୍ତି ପରମ ବୈଷ୍ଣବ।
ମାନ୍ଦ୍ରାଜ ସଂଗ୍ରହାଳୟରୁ ପ୍ରାପ୍ତ ଏକ ତାମ୍ର ଶାସନରେ ନରେନ୍ଦ୍ର ଧବଳଙ୍କ ନାମ ଦେଖିବାକୁ ମିଳେ। ତାମ୍ର ଶାସନଟି ଭୌମକର ରାଜବଂଶର ରାଣୀ ଦଣ୍ଡୀ ମହାଦେବୀଙ୍କ ପ୍ରଦତ୍ତ ତାମ୍ର ଶାସନ ସଦୃଶ୍ୟ।ଦଶମ ଶତାବ୍ଦୀରେ ନରେନ୍ଦ୍ର ଧବଳ ଓଡ଼ିଶାରେ ଧଳଭୂମି ରାଜ୍ୟ ଶାସନ କରି ଧବଳ ରାଜବଂଶ ପ୍ରତିଷ୍ଠା କରିଥିଲେ। ଡମପଡାର ଧଳ ଉପାଧି ଧାରୀ ରାଜାମାନେ ଏହି ବଂଶର ବୋଲି ଅନୁମାନ କରାଯାଏ। ଏହି ଧବଳ ବଂଶୀ ରାଜାମାନେ ଭୌମକର ବଂଶ ଓ ଭଞ୍ଜ ବଂଶ ରାଜାମାନଙ୍କର ସମସାମୟିକ ବୋଲି ଅନୁମାନ କରାଯାଏ। ସେମାନେ ଶୈବ ଥିଲେ ଓ ଧବଳେଶ୍ଵର ସେମାନଙ୍କ ଇଷ୍ଟଦେବ ଥିଲେ।
ଆଜକୁ ବହୁ ଶତାବ୍ଦୀ ପୂର୍ବେ କଟକରୁ ଉଠି ଯାଇଛନ୍ତି ବୋଲି ପାରଳାଖେମୁଣ୍ଡିର କଟକିଆ ମାନେ ଦାବି କରନ୍ତି।ସେମାନଙ୍କର ଆରାଧ୍ୟା ଦେବୀ ହେଉଛନ୍ତି ମା ମାଣିକେଶ୍ଵରୀ। ସେମାନଙ୍କର ପ୍ରଭୁ ଧବଳେଶ୍ଵର ଓ ତାଙ୍କ ମନ୍ଦିର ପ୍ରତି ଗଭୀର ଭକ୍ତି ଓ ନିଷ୍ଠା ପ୍ରଦର୍ଶିନରୁ ଏହି ପୀଠର ପ୍ରାଚୀନତା ଅନୁମାନ କରିହୁଏ।
ଧବଳେଶ୍ବର ଙ୍କ ମହିମା ଓ ପ୍ରଭାବରେ ଭାରତର ପ୍ରତ୍ୟେକ ଅଞ୍ଚଳ ପ୍ରଭାବିତ ହୋଇଥିଲେ।ଭୂବନେଶ୍ଵର ଓ ଖୋର୍ଦ୍ଧାରେ ଧବଳେଶ୍ଵର ମନ୍ଦିର,ରାଜମହେନ୍ଦ୍ରୀରେ ଧବଳେଶ୍ଵର ମନ୍ଦିର ଓ ଉତ୍ତର ଭାରତରେ ବଡ଼ ଓଷାର ବ୍ୟାପକ ପାଳନ ଏହି ଶୈବପୀଠ ର ମାହାତ୍ମ୍ୟ ସର୍ବଭାରତୀୟ ସ୍ତରରେ ଥିଲା ଓ ଏବେ ବି ଅଛି ବୋଲି ପ୍ରମାଣ କରୁଛି।
ସର୍ବତ୍ର ଶିବଲିଙ୍ଗ ପୂର୍ବାଭିମୁଖୀ ହେଲେ ମଧ୍ୟ ପ୍ରଭୁ ଧବଳେଶ୍ଵର ପଶ୍ଚିମାଭିମୁଖୀ।ବଡ଼ ଓଷା କଥାରେ ପଣ୍ଡିତ ରାମଚନ୍ଦ୍ର ରଥ ଧବଳେଶ୍ଵର ପୀଠକୁ କୈଳାସ ବୋଲି କହିଛନ୍ତି।


“ଏକ ସମୟରେ ନାରଦ ଋଷି
ପାତାଳପୁରରୁ ଭ୍ରମିଣ ଆସି
ମିଳି କପିଳାସ ପର୍ବତ ପାଶ
ଦେଖିଲେ ସେଠାର ସମସ୍ତ ଦୃଶ୍ୟ।”
ଧବଳେଶ୍ବର ଙ୍କ ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ବେଢ଼ା ପରିକ୍ରମା କରନ୍ତି। କାର୍ତ୍ତିକ,ମାଘ ଓ ବୈଶାଖ ମାସରେ ସକାଳେ ମଙ୍ଗଳ ଆଳତିରେ ଖେଚୁଡ଼ି ଭୋଗ ହୁଏ। ବର୍ଷର ସବୁ ସମୟରେ ଦ୍ବିପହରରେ ଖେଚୁଡ଼ି ଭୋଗ ଓ ପାଳୁଅ ବଲ୍ଲଭ ଭୋଗ ହୁଏ। ସନ୍ଧ୍ୟା ବଡ଼ ସିଂହାର ବେଳକୁ ଅଟାକୁ ଗୋଳି ଘିଅରେ ଛାଣି ଗାଇ ଚରା ଭୋଗ ଅର୍ପଣ କରାଯାଏ। ପ୍ରତି ଚତୁର୍ଦ୍ଦଶୀରେ‌ ଚାଉଳ ଅଟାରେ ‌ଗୋଲି ତିଆରି କରି ଘିଅରେ ଛାଣି ମାଣ୍ଡୁଅ ଭୋଗ ଅର୍ପଣ କରାଯାଏ। ଏହା ବ୍ୟତୀତ ଯାତ୍ରୀମାନେ ଚୁଡାଘଷା, ଅମୃତ କୁଣ୍ଡ ଘର୍ଷଣ କରନ୍ତି।ମାନସିକ କରି ଅମୃତ କୁଣ୍ଡ ଘର୍ଷଣରେ ପାଚିଲା କଦଳୀ,ନବାତ, ଛେନା ଆଦି ଘର୍ଷଣ କରାଯାଏ।ମହାମୃତ୍ଯୁଞ୍ଜୟ ମନ୍ତ୍ରର‌ ସିଦ୍ଧପୀଠ ଧବଳେଶ୍ଵର।
କିମ୍ବଦନ୍ତୀ ଅନୁସାରେ ଗଜପତି ମହାରାଜା କପିଳେନ୍ଦ୍ର ଦେବ ଏଠାରେ ଧବଳେଶ୍ଵର ଙ୍କ ଆରାଧନା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ। କବିବର ରାଧାନାଥ ରାୟ ମଧ୍ୟ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଧବଳେଶ୍ଵର ପୀଠରେ ଉପାସନା କରିଥିଲେ। ଭକ୍ତକବି ମଧୁସୂଦନ ରାଓ ବ୍ରାହ୍ମ ହେଲେ ମଧ୍ୟ ଏଠାରେ ପ୍ରଭୁ ଧବଳେଶ୍ଵରଙ୍କ ପୂଜା ଆରାଧନା କରୁଥିଲେ।
ଏହି ପ୍ରସିଦ୍ଧ ଶୈବପୀଠ ସହିତ କଟକ ବାଲିଯାତ୍ରାର ସମ୍ପର୍କ ରହିଛି।୧୮୭୬ ମସିହା ନଭେମ୍ବର ୧୧ ରେ ପ୍ରକାଶିତ ଉତ୍କଳ ଦୀପିକାରେ ଏହି ବିଷୟରେ ପ୍ରକାଶ ପାଇଥିଲା। ପଦ୍ମପୁରାଣ ସୃଷ୍ଟି କାଳରୁ ଏହି ପୀଠର ମହିମା ପ୍ରକଟିତ ବୋଲି ସେଥିରେ ଉଲ୍ଲେଖ ଅଛି।ଗଙ୍ଗବଂଶୀୟ ରାଜା ଭାନୁଗଙ୍ଗଦେବ ତୃତୀୟ ଫିରୋଜଶାହାଙ୍କ ଦ୍ଵାରା ଆକ୍ରମଣର ସମ୍ମୁଖୀନ ହୋଇଥିଲେ।ସେ ଧବଳେଶ୍ଵର ପୀଠରେ ଆଶ୍ରୟ ନେଇଥିଲେ।
ହିମାଳୟର ସର୍ବୋଚ୍ଚ ଶୃଙ୍ଗ ହେଉଛି ଧବଳଗିରି। ଧବଳେଶ୍ଵରଙ୍କ ମହିମା ସର୍ବତ୍ର ପ୍ରଚାରିତ। ପୂର୍ବରୁ ମାର୍ଗଶୀର ମାସରୁ ବର୍ଷ ଆରମ୍ଭ ହିସାବ କରାଯାଉଥିଲା।ତେଣୁ କାର୍ତ୍ତିକ ମାସରେ ପବିତ୍ର ହବିଷ ପାଳନ କରି ଶୁକ୍ଳ ଚତୁର୍ଦ୍ଦଶୀରେ‌ ବଡ଼ ଓଷା ପାଳନ କରାଯାଏ। କେବଳ ଧବଳେଶ୍ଵରଙ୍କ ପୀଠରେ ତ୍ରୟୋଦଶୀ ତିଥିରେ ବଡ଼ ଓଷା ପାଳନ କରାଯାଇ, ଏଠାରେ ଚତୁର୍ଦ୍ଦଶୀ ଦିନ ଗଜ ଓ ଅଟକାଳି ମିଳେ। କଟକରେ ଏହାକୁ ପିଠାଯାତ୍ରା କହନ୍ତି।ପ୍ରାଚୀନ କାଳରେ କାର୍ତ୍ତିକେଶ୍ଵର ପୀଠ ଗୌତମ ଋଷିଙ୍କ ଆଶ୍ରମ ଥିଲା। ଏହି ପୀଠରେ ବିଶ୍ଵେଶ୍ଵର ମହାଦେବ ପ୍ରତିଷ୍ଠିତ ହୋଇଛନ୍ତି।ନାଟ୍ୟକାର କାମପାଳ ମିଶ୍ର ତାଙ୍କ ଧବଳେଶ୍ବର କବିତାରେ ପ୍ରଭୁ ଧବଳେଶ୍ଵରଙ୍କ ମହିମା ବର୍ଣ୍ଣନା କରିଛନ୍ତି।ଧବଳେଶ୍ବର ମେଳା ପୁସ୍ତକରେ ବର୍ଣ୍ଣିତ ହୋଇଛି,
“ଶୁଣ ସୁଜନେ ଦେଇ ମନ
ଧବଳେଶ୍ଵରଙ୍କ ଆଖ୍ୟାନ
ଓଡ଼ିଶା କଟକ ବାହାରେ
ମହାନଦୀ ପୂର୍ଣ୍ଣ ଗର୍ଭରେ
ତହିଁ ଏକ ଦ୍ଵୀପ ଅଛଇ
ପାହାଡିଆ ସ୍ଥାନଟି ସେହି
ସେଠାରେ ପ୍ରଭୁଙ୍କ ମନ୍ଦିର
ସେ ଦୃଶ୍ୟ ଅତି ମନୋହର।”
ପୁଣି
“ଚାରି ପାରୁଶେ ମହାନଦୀ
ବହଇ ପାତାଳକୁ ଭେଦି
ଧବଳେଶ୍ବର ପାଦ ଧୋଇ
ପୂର୍ବକୁ ଯାଉଅଛି ବହି
ଯେ ତହିଁ ସ୍ନାହାନ କରଇ
ସକପାପକୁ ଖଣ୍ଡଇ।”
କବିବର ରାଧାନାଥ ରାୟ ମଧ୍ୟ ଧବଳେଶ୍ବର ସ୍ତୋତ୍ରମ୍ ରଚନା କରି ପ୍ରଭୁଙ୍କୁ ସ୍ତୁତି କରିଛନ୍ତି।କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ତିଥିରେ ଧବଳେଶ୍ବର ପୀଠରେ ପାଳନ କରାଯାଉଥିବା ବଡ଼ ଓଷାରେ ଚାଉଳ ମୁଗରେ ପୁର ଦେଇ ତିଆରି ହୋଇଥିବା ଗଜ ଓ ଅଟକାଳି ଭୋଗ କରାଯାଏ।ବଡ଼ ଓଷା ଭୋଗ ଦୁଇ ପ୍ରକାର ସିଦ୍ଧ ଓ ଅସିଦ୍ଧ।ଗହମ ଚୁନା, ନଡ଼ିଆ, ଆଖୁ, ଅଦା, ଛେନା,ଗୁଡ଼ ଆଦି ମିଶାଇ ଅସିଦ୍ଧ ରଖାଯାଇ ଭୋଗ କଲେ ତାହାକୁ ଶିରିଣୀ କୁହାଯାଏ। ସିଦ୍ଧ କରି ଭୋଗ କଲେ ତାହାକୁ ତରଣ ବା ଅଟକାଳି କୁହାଯାଏ। ଚାଉଳ ଚୁନା,ଗୁଡ଼, ନଡ଼ିଆ, ଛେନା ଆଦିରେ ଗଜ ମଥାକୃତି ମଣ୍ଡା ଉପରେ ଏକ ଶକ୍ତି ଶିବଲିଙ୍ଗ ତିଆରି କରି ତାହା ଉପରେ ଚନ୍ଦନ ସିନ୍ଦୁର ଦିଆଯାଇ ମୂଖ୍ୟ ଭୋଗ ଭାବରେ ଅର୍ପଣ କରାଯାଉ ଥିବାରୁ ଏହାର ନାମକରଣ ଗଜମଣ୍ଡା ହୋଇଥାଏ।କିମ୍ବଦନ୍ତୀ ଅନୁସାରେ ପାଣ୍ଡବମାନେ ଏହି ପୀଠରେ ପଣ୍ଡୁ ଓଷା ପାଳନ କରୁଥିଲେ। ବଡ଼ ଓଷାର ଠିକ୍ ମାସକ ପରେ ପଣ୍ଡୁ ଓଷା ପଡ଼େ। ଧବଳେଶ୍ଵରଙ୍କ ପୀଠରେ ବଡ଼ ଓଷା ପାଳନ କରି ପିଠାଯାତ୍ରା ରେ ଠାକୁର ଙ୍କ‌ ପ୍ରସାଦ ଖାଇ ଯାତ୍ରୀମାନେ ମହାନଦୀର କଟକ ପଟ ନଦୀ କୂଳ ବାଲିବନ୍ଧକୁ ଯାଆନ୍ତି।ବାଲିବନ୍ଧର ଏହି ଯାତ୍ରା ପରବର୍ତ୍ତୀ ସମୟରେ ବାଲିଯାତ୍ରା ଉତ୍ସବରେ ପରିଣତ ହୋଇଛି।
ଏହା ଏକ ଶୈବ ପୀଠ ହୋଇଥିବାରୁ ମହାଶିବରାତ୍ରି ପର୍ବ ପାଳନ କରାଯାଏ। ଶୀତଳ ଷଷ୍ଠୀ ଓ ଅଶୋକାଷ୍ଟମୀ ମଧ୍ୟ ଆଡ଼ମ୍ବର ସହକାରେ ପାଳନ କରାଯାଏ। କାର୍ତ୍ତିକ ମାସରେ ପ୍ରତ୍ୟେକ ସୋମବାରରେ ଏଠାକୁ ଭକ୍ତମାନେ ଆସିଥାନ୍ତି। ପୂର୍ବ ବର୍ଷ ମାନଙ୍କରେ ପଞ୍ଚୁକ ପାଞ୍ଚଦିନ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଥିଲା। ଶୈବ ସଂସ୍କୃତିରେ ବଡ଼ ଓଷା ଶ୍ରେଷ୍ଠ ଓଷା ହୋଇ ଥିବାରୁ ପୂର୍ବ ବର୍ଷ ମାନଙ୍କରେ ଏହି ପୀଠରେ ନାହିଁ ନଥିବା ଜନସମାଗମ ହେଉଥିଲା। ପୁରୀ ଶ୍ରୀମନ୍ଦିର ପରି ଏଠାରେ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବାର ବ୍ୟବସ୍ଥା ରହିଛି।ଏହା ଏକ ମନୋରମ ଦ୍ଵୀପ ହୋଇଥିବାରୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ପ୍ରଭୁ ଧବଳେଶ୍ଵରଙ୍କ ପୂଜା ଆରାଧନା ଅତ୍ୟନ୍ତ ମନୋମୁଗ୍ଧକର ହୋଇଥାଏ।।
ଆଲେଖ୍ୟ: ବାବାଜୀ ଚରଣ ଦାସ ।
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।