୨୦୨୪ ଲୋକସଭା ନିର୍ବାଚନ ପ୍ରଚାରରେ ସର୍ବାଧିକ ଖର୍ଚ୍ଚ କଲା ବିଜେପି ପରେ କଂଗ୍ରେସ

ବିଜେପି ୨୦୨୪ ଲୋକସଭା ନିର୍ବାଚନ ଜିତିବା ପାଇଁ ପାଖାପାଖି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଯାହା ମୋଟ ନିର୍ବାଚନ ଖର୍ଚ୍ଚର ୪୪.୫୬% ବୋଲି କୁହାଯାଇଛି। ନିର୍ବାଚନ ସଂସ୍କାର ପାଇଁ କାର୍ଯ୍ୟ କରୁଥିବା ‘ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍’ (ଏଡିଆର) ଶୁକ୍ରବାର ଏହି ସୂଚନା ଦେଇଛି। ବିଜେପି ପଛକୁ ୬୨୦ କୋଟି ଟଙ୍କା ବ୍ୟୟ ସହ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଛି। କଂଗ୍ରେସ ମୋଟ ନିର୍ବାଚନ ଖର୍ଚ୍ଚର ୧୮.୫% ବ୍ୟୟ କରିଛି। ଏଡିଆର ରିପୋର୍ଟ ଅନୁଯାୟୀ, ୩୨ଟି ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳ ମିଳିତ ଭାବେ ୨୦୨୪ ଲୋକସଭା ନିର୍ବାଚନ ଏବଂ ଏହା ସହିତ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକ୍କିମରେ ହୋଇଥିବା ବିଧାନସଭା ନିର୍ବାଚନରେ ମୋଟ ୩,୩୫୨.୮୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚରେ ଜାତୀୟ ଦଳମାନେ ୨,୨୦୪ କୋଟି ଟଙ୍କା (୬୫.୭୫%) ଖର୍ଚ୍ଚ କରିଥିବା ବେଳେ ବିଜେପି ଏହାର ମୁଖ୍ୟ ଅଂଶ ରହିଛି।ରିପୋର୍ଟରେ କୁହାଯାଇଛି ଯେ ଏକତ୍ର ହୋଇଥିବା ମୋଟ ରାଶିରେ ଜାତୀୟ ଦଳମାନେ ୬୯୩୦.୨୪୬ କୋଟି ଟଙ୍କା ଅର୍ଥାତ ୯୩.୦୮% ସଂଗ୍ରହ କରିଥିବା ବେଳେ ଆଞ୍ଚଳିକ ଦଳମାନଙ୍କୁ ୫୧୫.୩୨ କୋଟି ଟଙ୍କା ଅର୍ଥାତ ୬.୯୨% ମିଳିଥିଲା। ଏହି ବିଶ୍ଳେଷଣ ବାଧ୍ୟତାମୂଳକ ବ୍ୟୟ ବିବରଣୀ ଆଧାରିତ, ଯାହା ରାଜନୈତିକ ଦଳଙ୍କୁ ସାଧାରଣ ନିର୍ବାଚନର ୯୦ ଦିନ ମଧ୍ୟରେ ଓ ବିଧାନସଭା ନିର୍ବାଚନର ୭୫ ଦିନ ମଧ୍ୟରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ହୋଇଥାଏ। ତେବେ ଏହି ବିବରଣୀ ଦାଖଲ କରିବାରେ ରାଜନୈତିକ ଦଳମାନେ ବେଶ୍ ବିଳମ୍ବ କରିଥିବା ଏଡିଆର କହିଛନ୍ତି।

You might also like