ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଖରିଫ୍‌ ଧାନ କିଣା ସଂକ୍ରାନ୍ତରେ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟରେ ଧାନ କିଣାବେଳେ ପଡ଼ୋଶୀ ରାଜ୍ୟ ସୀମା ସିଲ୍‌ କରିବାକୁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏପରିକି ରାଜ୍ୟ ବାହାର ଚାଷୀ ଓଡ଼ିଶାରେ ଧାନ ବିକ୍ରି କରିପାରିବେ ନାହିଁ ବୋଲି ବୈଠକରେ କୁହାଯାଇଛି ।ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାରେ ଚେକିଂ କଡାକଡି ହେବ । ବଡ କଥା ହେଲା ଜିଲ୍ଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା। ସେଥିପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ । ଆଉ ରାଜ୍ୟ ସରକାର ପାଖକୁ ପଠାଇବେନି ଜିଲ୍ଲା ସ୍ତରରେ ନିଷ୍ପତ୍ତି ନେଇ ପାରିବେ ।ସେହିପରି ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଛନ୍ତି, ଧାନ କିଣା ନେଇ ସରକାର ବଡ଼ ଲକ୍ଷ୍ୟ ରଖିଛନ୍ତି। ପଡୋଶୀ ରାଜ୍ୟର ଚାଷୀ ଓଡ଼ିଶାକୁ ଆସି କେମିତି ଧାନ ବିକ୍ରି ନକରିବେ ସେ ନେଇ ଧ୍ୟାନ ରାଜ୍ୟ ସରକାର ଦେଉଛନ୍ତି। ସୀମା ସିଲ କରାଯାଇ ଅନ୍ୟ ରାଜ୍ୟର ଚାଷୀ କେମିତି ଓଡ଼ିଶାକୁ ନଆସିବେ ସେଥିପାଇଁ ଯୋଜନା କରାଯିବ। ଧାନ ମଣ୍ଡି ଆଧୁନିକୀକରଣ କରିବା ପାଇଁ ସମବାୟ, କୃଷି ଓ ଯୋଜନା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।