ଆସନ୍ତା ଜନଗଣନା ଜାତି ଭିତ୍ତିକ ହେବ ବୋଲି ଘୋଷଣା କଲେ ସରକାର ।
କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଆସନ୍ତା ଜନଗଣନାରେ ଜାତିଭିତ୍ତିକ ଜନଗଣନା କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତି (CCPA) ଏହି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି। ୨୦୨୫ରୁ ୨୦୨୬ ମଧ୍ୟରେ ଆରମ୍ଭ ହେବାକୁ ଥିବା ଜନଗଣନାରେ ଜାତି ଆଧାରିତ ତଥ୍ୟ ସଂଗ୍ରହ କରାଯିବ।କେନ୍ଦ୍ରୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ ସମ୍ବୋଧନ କରିବା ସମୟରେ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହି ଜାତିଭିତ୍ତିକ ଜନଗଣନା ଦେଶରେ ସାମାଜିକ ନ୍ୟାୟ ଓ ସମାନତା ପାଇଁ ନୀତି ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
\ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ପୂର୍ବରୁ ଏହାର ବିରୋଧ କରୁଥିଲା, କିନ୍ତୁ ମୋଦୀ ସରକାର ଏହି ପଦକ୍ଷେପ ନେଇ ଦେଶବାସୀଙ୍କୁ ଏକ ନୂଆ ଦିଗ ଦେବାକୁ ପ୍ରତିବଦ୍ଧ।ଅନ୍ୟପଟେ, ବିରୋଧୀଙ୍କ କହିବା କଥା, ଜାତି ଜନଗଣନା ହେଲେ ସମାଜରେ କେଉଁ ଜାତିର କେତେ ଲୋକ ଅଛନ୍ତି ଏ ବିଷୟରେ ବିସ୍ତୃତ ହିସାବ ମିଳିପାରିବ । ଫଳରେ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ସଠିକ ଭାବେ ହୋଇପାରିବ । ପୂର୍ବରୁ ଏ ନେଇ ବିରୋଧୀ ଦାବି କରିଆସୁଥିଲେ । ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ତେଣୁ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି ବିରୋଧୀ କହିଥିଲେ । ତେଣୁ ତାଙ୍କ ସରକାର ଆସିଲେ ଜାତି ଜନଗଣନା ନିଶ୍ଚୟ କରାଇବେ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।
