JPC ବୈଠକରେ ବୋତଲ ଭାଙ୍ଗିଥିବା ସାଂସଦଙ୍କ ଉପରେ ଆକ୍ସନ

ୱାକଫ୍ ବିଲ୍ ଉପରେ ସଂଯୁକ୍ତ ସଂସଦୀୟ ସମିତି (ଜେପିସି)ର ବୈଠକରେ ଟିଏମସି ନେତା ତଥା ପଶ୍ଚିମବଙ୍ଗର ଶ୍ରୀରାମପୁରରୁ ସାଂସଦ କଲ୍ୟାଣ ବାନାର୍ଜୀ ଏବଂ ବିଜେପି ନେତା ଅଭିଜିତ୍ ଗଙ୍ଗୋପାଧ୍ୟାୟଙ୍କ ମଧ୍ୟରେ ପାଟିତୁଣ୍ଡ ପରେ ହଙ୍ଗମା ହୋଇଥିଲା । ଏହି ସମୟରେ କଲ୍ୟାଣ ବାନାର୍ଜୀ ରାଗରେ କାଚ ପାଣି ବୋତଲ ଭାଙ୍ଗି ଦେଇଥିଲେ, ଯେଉଁଥି ପାଇଁ ତାଙ୍କ ହାତରେ ଆଘାତ ଲାଗିଥିଲା । ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ତାଙ୍କର ଏହି ଆଚରଣ ପାଇଁ ୱାକଫ୍ ବିଲ୍ ପାଇଁ ଜେପିସିରୁ ଦିନକ ପାଇଁ ସସ୍‌ପେଣ୍ଡ କରାଯାଇଛି । ସୂତ୍ର ଅନୁଯାୟୀ ଏହି ବୈଠକରେ ଅନେକ ଅବସରପ୍ରାପ୍ତ ବିଚାରପତି, ଲିଗାଲ ଏକ୍ସପର୍ଟ ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ସେମାନେ ନିଜ ନିଜ କଥା ରଖୁଥିଲେ। ଏହି ସମୟରେ ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ମଝିରୁ ଠିଆ ହୋଇ ମୋତେ କିଛି ପଚାରିବାର ଅଛି ବୋଲି କହିଥିଲେ। ଆପଣ ଅନେକ ଥର କହି ସାରିଛନ୍ତି କହି ତାଙ୍କୁ ଚେୟାରମେନ୍‌ ବାରଣ କରିଥିଲେ।ସେପଟେ ଏହାକୁ ନେଇ ବିଜେପି ସାଂସଦ ଅଭିଜିତ ଗଙ୍ଗୋପାଧ୍ୟାୟ ମଧ୍ୟ ଆପତ୍ତି ଉଠାଇଥିଲେ। ଏହାକୁ ନେଇ କଲ୍ୟାଣ ବାନାର୍ଜୀ ଓ ଅଭିଜିତଙ୍କ ମଧ୍ୟରେ ତୁତୁମେଁମେଁ ଆରମ୍ଭ ହୋଇଯାଇଥିଲା। ଏହାରି ଭିତରେ ଟିଏମ୍‌ସି ସାଂସଦ ରାଗି ଯାଇ ପାଖରେ ଥିବା କାଚ ପାଣି ବୋତଲକୁ ଉଠାଇ ତଳେ କଚାଡି ଦେଇଥିଲେ। ଏଥିସହ ଚେୟାରମେନ୍‌ ଉପରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ଏହି ଦୁର୍ଘଟଣାରେ ସେ ଖୋଦ୍‌ ଆହାତ ହୋଇଥିଲେ। ଏହି ଘଟଣା ପରେ କିଛି ସମୟ ପାଇଁ ବୈଠକକୁ ସ୍ଥଗିତ ରଖାଯାଇଥିଲା।