ପାଚିଲା ଆମ୍ବରେ ବିଷ । ଖୋଲାଖୋଲି ଭାବେ ଆମ୍ବରେ ମିଶୁଛି କ୍ୟାଲସିୟମ୍ କାର୍ବାଇଡ । ଆମ୍ବ ଓ କଦଳୀ ଭଳି ଫଳ ପଚାଇବା ପାଇଁ କ୍ୟାଲସିୟମ କାର୍ବାଇଡ୍ ବ୍ୟବହାର ଉୁପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ରୋକ୍ ଲଗାଯିବା ସତ୍ତ୍ବେ ବ୍ୟବସାୟୀମାନେ ଖୋଲାଖୋଲି ଭାବେ ଏହି ବିଷାକ୍ତ ରାସାୟନିକ ପଦାର୍ଥ ବ୍ୟବହାର କରୁଛନ୍ତି ।ଗ୍ରାହକମାନଙ୍କୁ ଏ ବିଷୟରେ ଅଧିକ ସଚେତନ ହେବା ଆବଶ୍ୟକ । ଅନେକ ଜଣ କୃତ୍ରିମ ଭାବରେ ପାଚିଲା ଫଳ ଏବଂ ପ୍ରାକୃତିକ(natural) ଭାବରେ ପାଚିଥିବା ଫଳଗୁଡିକ ମଧ୍ୟରେ କିପରି ପାର୍ଥକ୍ୟ କରିବେ ଜାଣନ୍ତି ନାହିଁ । କୃତ୍ରିମ ଭାବରେ ପାଚିଲା ଫଳ ପାଇଁ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ଫଳଗୁଡିକ ପାଚିବା ପାଇଁ କାର୍ବନ କାର୍ବାଇଡ୍ ନାମକ ଏକ ରାସାୟନିକ ପଦାର୍ଥ ବ୍ୟବହୃତ ହୁଏ । ଆମ୍ବ କୃତ୍ରିମ ପାଚିବା ପ୍ରକ୍ରିୟା ବିଷୟରେ ଆଲୋଚନା କରି ବିଶେଷଜ୍ଞ କହିଛନ୍ତି ଯେ ଆମ୍ବ ସହିତ କ୍ୟାଲସିୟମ୍ କାର୍ବାଇଡ୍ ପାଉଚ୍ ମଧ୍ୟ ରଖାଯାଇଛି । ଯେତେବେଳେ ଏହି ରାସାୟନିକ ଆର୍ଦ୍ରତା ସଂସ୍ପର୍ଶରେ ଆସେ, ଏସିଟିଲିନ୍ ଗ୍ୟାସ୍ ଉତ୍ପନ୍ନ ହୁଏ, ଯାହାର ପ୍ରଭାବ ଇଥିଲିନ ପରି ହୋଇଥାଏ ।ଏପଟେ ପାଚିଲା ଆମ୍ବ ଖାଇ ବିଷାକ୍ତ ଖାଦ୍ୟ ପ୍ରଭାବରେ ବିଭିନ୍ନ ରୋଗରେ ପଡୁଛନ୍ତି ।
ଏବେ ବଜାରରେ ଭଳିକି ଭଳି ଆମ୍ବ ପସରା ମେଳିଯାଇଛି । ଜୋରସୋରରେ ବିକ୍ରି ମଧ୍ୟ ଚାଲିଛି । ହେଲେ ଯେଉଁ ଆମ୍ବ ଗ୍ରାହକମାନେ ବଜାରରୁ କିଣି ନେଇ ଖାଉଛନ୍ତି ତାହା ସ୍ଵାସ୍ଥ୍ୟ ଉପରେ କିଭଳି ପ୍ରଭାବ ପକାଉଛି ତାହା କେହି ପରଖୁନାହାଁନ୍ତି । ଏହି ରାସାୟନିକ ପଦାର୍ଥରେ ଆର୍ସେନିକ୍ ଏବଂ ଫସଫରସ୍ ହାଇଡ୍ରାଇଡ୍ ମଧ୍ୟ ମିଳିଥାଏ, ଯାହା ବାନ୍ତି, ଝଆଡା, ଦୁର୍ବଳତା, ଚର୍ମ ରୋଗ, ଆଂଶିକ ଦୃଷ୍ଟିଶକ୍ତି ହ୍ରାସ ଏବଂ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧାର କାରଣ ହୋଇପାରେ । ଏହା ସ୍ନାୟୁ ପ୍ରଣାଳୀ ଉପରେ ମଧ୍ୟ ପ୍ରଭାବ ପକାଇପାରେ । କେବଳ ସେତିକି ନୁହେଁ, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ମାନସିକ ଚାପ ସମସ୍ୟା ସୃଷ୍ଟି କରିଥାଏ ।
