ନୟାଗଡ଼ ଛେନାପୋଡ଼କୁ ବିଶ୍ୱସ୍ତରୀୟ କରାଇବାକୁ ଆରମ୍ଭ ହୋଇଛି ଅନେକ ପ୍ରୟାସ । ଏପ୍ରିଲ ୧୧ ତାରିଖକୁ ବିଶ୍ବ ଛେନାପୋଡ଼ ଦିବସ ଭାବେ ପାଳନ କରୁଛି ଓଡ଼ିଶା । ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣାର ମୂଳବାସିନ୍ଦା ହେଉଛନ୍ତି ବିଦ୍ୟାଧର ଓ ସୁଦର୍ଶନ। ଜାତିରେ ଗୁଡ଼ିଆ ହୋଇଥିବାରୁ ମିଠା ପ୍ରସ୍ତୁତି ତଥା ବ୍ୟବସାୟ କରୁଥିଲେ । ବାପାଙ୍କ ମିଠା ଦେକାନରେ ରହି ସୁଦର୍ଶନ ଏକ ପୋଖତ ମିଠା-ମିସ୍ତ୍ରି ପାଲଟି ଯାଇଥିଲେ । ୧୯୯୬ ଜାନୁଆରିରେ ‘ସଚିତ୍ର ବିଜୟା’ରେ ଛେନାପୋଡ଼କୁ ନେଇ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା । ସୁଦର୍ଶନଙ୍କ ସହିତ ଆଲୋଚନା କରି ସ୍ତମ୍ଭକାର ବିଶ୍ବଭାରତୀ ସେହି ଲେଖାଟିକୁ ପ୍ରସ୍ତୁତ କରିଥିଲେ। ୧୯୪୫ ମସିହା କଥା, ପ୍ରତିଦିନ ମିଠା ପ୍ରସ୍ତୁତ ପରେ ଦୋକାନରେ କିଛି ଛେନା ବଳି ପଡ଼ିଥିଲା ।
ବଳକା ଛେନାକୁ କ’ଣ କରିବେ ଭାବୁ ଭାବୁ, ହଠାତ୍ ଗୋଟିଏ ଅଜବ ବୁଦ୍ଧି ମୁଣ୍ଡକୁ ଜୁଟିଥିଲା । ବିରି ପୋଡ଼ପିଠା ଭଳି ଛେନାରେ କିଛି ଚିନି ଓ ଚାଉଳ ଚୁନା ମିଶାଇ ତାହାକୁ ଚକଟି କଦଳୀପତ୍ରରେ ଗୁଡ଼ାଇ ସେଦିନ ରାତିରେ ସେମାନେ ନିଆଁ-ଆଞ୍ଚରେ ବସାଇ ଦେଇଥିଲେ । ସକାଳକୁ ତାହା ବେଶ୍ ସ୍ବାଦିଷ୍ଟ ଲାଗିବା ସହିତ ପରବର୍ତ୍ତୀ ଅବସ୍ଥାରେ ମିଠା ଜଗତରେ ମଉଡ଼ମଣି ‘ଛେନାପୋଡ଼’ ପାଲଟି ଯାଇଥିଲା । ନୂଆ ଏକ ମିଠା ତିଆରିର ସଫଳତାରେ ବାପା-ପୁଅ ପୁଲକିତ ହୋଇଥିଲେ ।
ଦଶପଲ୍ଲା ସାତପାଟଣାରୁ ନୟାଗଡ଼ ଆଣି ଏହି ନୂଆ ମିଠା ବା ଛେନାପୋଡ଼କୁ ବିଦ୍ୟାଧର ଓ ସୁଦର୍ଶନ କିଛି ଖାସ୍ ଗ୍ରାହକଙ୍କୁ ଦେଉଥିଲେ। ପରବର୍ତ୍ତୀ ଅବସ୍ଥାରେ ୧୯୪୭ରେ ସୁଦର୍ଶନ ଆସି ନୟାଗଡ଼ ବସ୍ଷ୍ଟାଣ୍ଡ୍ରେ ଏକ ମିଠା ଦୋକାନ କରିଥିଲେ । ନୟାଗଡ଼କୁ ଆସୁଥିବା ନେତା, ମନ୍ତ୍ରୀ, ଅଫିସର୍ ସୁଦର୍ଶନଙ୍କ ଛେନାପୋଡ଼ ନେବାକୁ ଭୁଲୁ ନଥିଲେ । ସୁଦର୍ଶନ ରାଜ୍ୟ ବାହାରକୁ ମଧ୍ୟ ଏହା ପଠାଉଥିଲେ । ତେବେ ବିଭିନ୍ନ କାରଣ ପାଇଁ ଛେନାପୋଡ଼ ବ୍ୟବସାୟରୁ ୧୯୮୦ ମସିହାରେ ସୁଦର୍ଶନ ଓହରି ଯାଇଥିଲେ। ୨୦୧୬ ନଭେମ୍ବର ତାଙ୍କର ପରଲୋକ ଘଟିଥିଲା ।
