ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫା

ରାଜଧାନୀରେ ଚାଞ୍ଚଲ୍ୟ । ପିଲା ବିକ୍ରି ଅଭିଯୋଗ ସାମ୍ନାକୁ ଆସିଛି । ୪ ବର୍ଷର ଶିଶୁ କନ୍ୟାକୁ ୪୦ ହଜାରରେ ବିକିଦେଲେ । ପିପିଲିର ଏକ ପରିବାର ଏହି ଶିଶୁକନ୍ୟାକୁ କିଣିଥିଲେ । ଏହି ଡିଲ ବେଳେ ଦୁଇ ଜଣ ଦଲାଲ ମଧ୍ୟସ୍ଥତା କରୁଥିଲେ । ମୋଟ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବଡଗଡ଼ ଥାନା ପୋଲିସ। ସୂଚନାମୁତାବକ ବିହାର ରାଜ୍ୟର ଶୁବୋଧ ଶର୍ମା ଜଣେ କାଠ ମିସ୍ତ୍ରୀ। ତାଙ୍କ ପ୍ରଥମ ସ୍ତ୍ରୀଙ୍କଠାରୁ ଗୋଟିଏ ଝିଅ ଅଛି। ତା’ର ବୟସ ପ୍ରାୟ ୪ ବର୍ଷ ହେବ। ପରବର୍ତ୍ତୀ ସମୟରେ ସେ ଗୁଡ଼ିଆ ଦେ’ଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ବିବାହ କରିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ, ଝିଅ ଓଡ଼ିଶା ପଳାଇ ଆସିଥିଲେ। ରାଜଧାନୀ ଭୁବନେଶ୍ୱର ଟଙ୍କପାଣି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ। କାଠ କାମରୁ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର।ହେଲେ ସଉତୁଣୀ ଝିଅକୁ ଆଡ ଆଖିରେ ଦେଖୁନଥିଲେ ଗୁଡ଼ିଆ। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ନିଜର ୪ ବର୍ଷର ଝିଅକୁ ଅନାଥାଶ୍ରମରେ ରଖିବାକୁ ନିଷ୍ପତ୍ତି ନେଇଥିଲେ ଶୁବୋଧ। ହେଲେ ସେମିତି କିଛି ବ୍ୟବସ୍ଥା ହୋଇପାରିଲା ନାହିଁ। ପରବର୍ତ୍ତୀ ସମୟରେ ଦ୍ୱିତୀୟ ପତ୍ନୀ ଗୁଡ଼ିଆଙ୍କ ପ୍ରରୋଚନାରେ ଝିଅକୁ ବିକ୍ରି କରିବା ପାଇଁ ଯୋଜନା କରିଥିଲେ। ଏଥିପାଇଁ ସେମାନେ ୨ ଜଣ ମହିଳା ଦଲାଲଙ୍କ ସହ ଯୋଗାଯୋଗ କରିଥିଲେ।

ଦୁଇ ମହିଳା ଦଲାଲ ଗ୍ରାହକ(ଛୁଆ କିଣିବାକୁ ରାଜି ଥିବା ଦମ୍ପତି) ଯୋଗାଡ କରିଥିଲେ। ବହୁ ଖୋଜାଖୋଜି ପରେ ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ରଘୁନାଥ ବେହେରା ଓ ତାଙ୍କ ପତ୍ନୀଙ୍କୁ ପାଇଥିଲେ। ଦଲାଲମାନେ ପ୍ରଥମେ ରଘୁନାଥଙ୍କୁ ଫୋନ୍‌ କରି ଝିଅ ବିକ୍ରି ସମ୍ପର୍କରେ କଥା ହୋଇଥିଲେ। ବହୁ ମୂଲଚାଲ ପରେ ୪୦ ହଜାର ଟଙ୍କାରେ ଡିଲ୍‌ ଫାଇନାଲ୍‌ ହୋଇଥିଲା। ପିଲା କିଣିଥିବା ଦଂପତ୍ତିଙ୍କର ଅନେକ ବର୍ଷ ଧରି ସନ୍ତାନ ହେଉନଥିଲା । ମଧ୍ୟସ୍ଥିଙ୍କ ଜରିଆରେ ଏହି କାରବାର ହୋଇଥିବା ଜଣାପଡିଛି । ଘଟଣା ଜଣାପଡିବା ପରେ ବଡଗଡ ଥାନା ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ୨ ଦଂପତ୍ତିଙ୍କ ସହ ୨ ଦଲାଲଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

You might also like