ଟେସଲା ଜୁଲାଇ ୧୫ରେ ଭାରତରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିବ
ଏଲନ ମସ୍କଙ୍କ ଇଲେକ୍ଟ୍ରିକ କାର୍ କମ୍ପାନି ଟେସଲା ଜୁଲାଇ ୧୫ରେ ଭାରତରେ ଏହାର ପ୍ରଥମ ଷ୍ଟୋର ଆରମ୍ଭ କରିବାକୁ ଯାଉଛି। ଏହି ଷ୍ଟୋର ମୁମ୍ବାଇରେ ଖୋଲିବ। ଏହି ଷ୍ଟୋର ଲୋକଙ୍କ ପାଇଁ ଏକ ଏକ୍ସପିରିଏନ୍ସ ସେଣ୍ଟର ଭାବରେ ମଧ୍ୟ କାମ କରିବ। ଅର୍ଥାତ ଏଠାରେ ଗାଡ଼ି ବିକ୍ରି ସହ ଲୋକେ ଟେସଲାର ଟେକ୍ନୋଲୋଜି ଏବଂ ଫିଚର୍ସକୁ ମଧ୍ୟ ଦେଖିପାରିବେ। କମ୍ପାନୀ ତା’ର ଭାରତ-କେନ୍ଦ୍ରୀୟ ଏକ୍ସ ହ୍ୟାଣ୍ଡେଲରେ ଏକ ଟିଜର ପୋଷ୍ଟ କରି କହିଛି, “ଶୀଘ୍ର ଆସୁଛି”। ଏହି ପୋଷ୍ଟ ସହିତ ଜୋଡ଼ା ହୋଇଥିବା ଗ୍ରାଫିକ୍ରେ ସୂଚାଇ ଦିଆଯାଇଛି ଯେ ଟେସଲା ଜୁଲାଇ ୨୦୨୫ରେ ଭାରତରେ ଆରମ୍ଭ ହେବ।
କେନ୍ଦ୍ର ଭାରୀ ଶିଳ୍ପ ମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀ ଜୁନ୍ ମାସ ଆରମ୍ଭରେ କହିଥିଲେ ଯେ ଟେସଲା ଭାରତରେ ଉତ୍ପାଦନ କରିବାକୁ ଆଗ୍ରହୀ ନୁହେଁ; ବରଂ ସେମାନେ ଏଠାରେ ଶୋ’ରୁମ୍ ଖୋଲିବାକୁ ଚାହୁଁଛନ୍ତି। ଜୁନ୍ ମାସର ପରବର୍ତ୍ତୀ ସମୟରେ କୁମାରସ୍ୱାମୀ କହିଥିଲେ, “ଟେସଲା କେବଳ ଭାରତରେ ଶୋ’ରୁମ୍ ଖୋଲି ନିଜ କାର ବିକ୍ରି କରିବାକୁ ଚାହୁଁଛନ୍ତି। ଟେସଲା ସମ୍ବନ୍ଧରେ ଏହାଠାରୁ ଅଧିକ କୌଣସି ପ୍ରଗତି ହୋଇନାହିଁ।”ସୂଚନାଥାଉକି, କମ୍ପାନି ପୂର୍ବରୁ ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ୪ ହଜାର ବର୍ଗ ଫୁଟ୍ର ରିଟେଲ ସ୍ପେସ ପାଇଁ ଲିଜ୍ ସାଇନ କରିଥିଲା। ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ଲେକ୍ସରେ ଆପଲର ଫ୍ଲାଗସିପ୍ ଷ୍ଟୋର ମଧ୍ୟ ରହିଛି। ତେବେ ପ୍ରଥମ ପର୍ଯ୍ୟାୟରେ, ଟେସଲା ଏହାର ମଡେଲ୍ Y SUV ବିକ୍ରି କରିବ। ଏହା ଟେସଲାର ସାଂଘାଇ କାରଖାନାରୁ ଆମଦାନୀ ହୋଇଛି। ଭାରତରେ ଏହି କାର୍ର ମୂଲ୍ୟ ପ୍ରାୟ ୪୮ ଲକ୍ଷ ଟଙ୍କା ହୋଇପାରେ।ମଡେଲ୍ Y ହେଉଛି ବିଶ୍ୱର ସର୍ବାଧିକ ବିକ୍ରି ହେଉଥିବା ଇଲେକ୍ଟ୍ରିକ୍ କାର |ଭାରତୀୟ ଗ୍ରାହକମାନେ ମଧ୍ୟ ଏହାକୁ ପସନ୍ଦ କରିପାରନ୍ତି। କମ୍ପାନି ଆମେରିକା, ଚୀନ୍ ଏବଂ ନେଦରଲ୍ୟାଣ୍ଡସ୍ରୁ ସୁପରଚାର୍ଜର ଉପାଦାନ, କାର୍ ଆସେସୋରିଜ୍, ସାମଗ୍ରୀ ଏବଂ ସ୍ପେୟାର ସାମଗ୍ରୀ ମଧ୍ୟ ଆମଦାନୀ କରିଛି।
