ରାଜଧାନୀରେ ରାସ୍ତା ଉପରେ ପାକିସ୍ତାନୀ ପତାକା, ରଙ୍ଗ ମାରି ଲିଭାଇଲା ପୋଲିସ
ରାଜଧାନୀରେ ପହଲଗାମ ଘଟଣା ନେଇ ବିରୋଧ। ପାକିସ୍ତାନକୁ ଜୋରଦାର ବିରୋଧ କରିଛନ୍ତି କିଛି ସଂଗଠନ। ଏନେଇ ରାସ୍ତା ଉପରେ ପାକିସ୍ତାନୀ ପତାକା ଆଙ୍କି ତା ଉପରେ ଚାଲିବା ପାଇଁ ପ୍ରୟାସ କରିଛନ୍ତି । ବିଭିନ୍ନ ଜାଗାରେ ଏଭଳି ପତାକା ରାସ୍ତାରେ ପ୍ରଦର୍ଶନ ପରେ ପୋଲିସ ଏସବୁ ପତାକାକୁ କଳାରଙ୍ଗ ମାରି ଲିଭାଇବା ପାଇଁ କରିଛି ପ୍ରୟାସ।କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଭାରତୀୟଙ୍କ ମୃତ୍ୟୁ ପରେ ଦେଶରେ ଏକ ପ୍ରକାର କ୍ଷୋଭର ମାହୋଲ ଦେଖା ଦେଇଛି । ଦେଶବ୍ୟାପୀ ଏଭଳି ଆତଙ୍କବାଦୀ ଆକ୍ରମଣ ନେଇ ଜୋରଦାର ବିରୋଧ ହେଉଥିବା ବେଳେ ଏହା ପଛରେ ରହିଥିବା ଆତଙ୍କବାଦୀ ସଂଗଠନକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହେଉଛି। ତେବେ ଭୁବନେଶ୍ୱରର ଖଣ୍ଡଗିରି, ଫାୟାର ଷ୍ଟେସନ, ବାଣୀ ବିହାର ଓ ରୁପାଲିରେ ଦେଖିବାକୁ ମିଳିଛି ଏଭଳି ପତାକା ରାସ୍ତାରେ ପ୍ରଦର୍ଶନ କରିବାର ଦୃଶ୍ୟ। ରାସ୍ତା ଉପରେ ପତାକା ଆଙ୍କି ପାକିସ୍ତାନର ଏଭଳି ହରକତ ନେଇ ତାଙ୍କୁ ପାଦତଳେ ରଖିବା ପାଇଁ ପ୍ରୟାସ କରିଛନ୍ତି ।
