ରଜରେ ଘଟିଲା ବଡ଼ ଅଘଟଣ,ଝିଅ ଆଗରେ ମା’କୁ ଟାଣି ନେଲା କୁମ୍ଭୀର
କେନ୍ଦ୍ରାପଡ଼ାରେ ପୁଣି କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଆଳି ବ୍ଲକ୍ କୋଲଢ଼ିଅ ପଞ୍ଚାୟତ ମହାନ୍ତିଗାଁରେ। ଗାଁର ଜଣେ ମହିଳାଙ୍କୁ ଖରସ୍ରୋତା ନଦୀକୁ ସଂଯୋଗ କରୁଥିବା ପାନିଆ ଯୋରରୁ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ଏହି ଘଟଣା ତାଙ୍କ ଝିଅଙ୍କ ଆଗରେ ଘଟିଥିବା ସୂଚନା ମିଳିଛି।
ଘରେ ପହଞ୍ଚି ଝିଅଟି ଘଟଣା ବିଷୟରେ ଜଣାଇବା ପରେ ଗାଁ ଲୋକେ ଏକାଠି ହୋଇ ପାନିଆଯୋର ଭିତରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ସ୍ଥାନୀୟ ପୋଲିସ ଓ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି ଏବଂ ଲୋକେ ନଦୀ କୂଳରେ ଯିବାକୁ ଭୟ କରୁଛନ୍ତି।ତେବେ ମହିଳାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବାହିନୀର ମଧ୍ୟ ସହାୟତା ନିଆଯାଇଛି। ଗତବର୍ଷ ମଧ୍ୟ ଏଠାରେ କୁମ୍ଭୀର ଆତଙ୍କ ଦେଖିବାକୁ ମିଳିଥିଲା ଯାହାକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।
