ଓଡ଼ିଶା ଉପକୂଳରେ ମାଡ଼ ହେବ ବାତ୍ୟା ‘ଦାନା’!

ଓଡ଼ିଶା ପୁଣି ଅକ୍ଟୋବରରେ ଆଉ ଏକ ସାମୁଦ୍ରିକ ଝଡ଼କୁ ସାମ୍ନା କରିବାକୁ ଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟାରେ ଯୁଝି ହୋଇ ପଡୁଥିବା ଓଡ଼ିଶା ପାଇଁ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଗୁରୁବାର ସକାଳେ ଏହା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସ୍ଥଳ ଭାଗରେ ପ୍ରବେଶ କରିପାରେ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏଭଳି ପୂର୍ବାନୁମାନ କରିଛି । ନିର୍ଦ୍ଦିଷ୍ଟ କେଉଁଠି ଏବଂ କେଉଁ ସମୟରେ ବାତ୍ୟା ମାଡ଼ ହେବ ସେ ନେଇ ବିଭିନ୍ନ ପାଣିପାଗ ମଡେଲ ଭିନ୍ନ ଭିନ୍ନ ପୂର୍ବାନୁମାନ ଦେଇଛନ୍ତି । ୨୪ ତାରିଖ ସକାଳୁ ୨୫ ତାରିଖ ସକାଳ ଭିତରେ ପୁରୀଠାରୁ ଉତ୍ତର ବାଲେଶ୍ୱର ମଧ୍ୟରେ ସ୍ଥଳଭାଗକୁ ପଶିବ । ଘଣ୍ଟା ପ୍ରତି ୧୨୦ କିମି ବେଗ ଯାଏ ପବନ ମାଡ଼ ହେବା ଆଶଙ୍କା ରହିଛି ।

୨୩ ତାରିଖରୁ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ଉପକୂଳ ଓଡ଼ିଶାରେ ନିର୍ଘାତ ଛେଚିବ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ୭୦ରୁ ୧୧୦ ମିମି ଯାଏ ବର୍ଷା ହୋଇପାରେ । ଓଡ଼ିଶାରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ମୁକାବିଲା ଲାଗି ରାଜ୍ୟ ସରକାର ପରିସ୍ଥିତିର ସାମ୍ନା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ପ୍ରଭାବିତ ହେବାକୁ ଥିବା ଜିଲାର ଜିଲାପାଳମାନଙ୍କୁ ସୂଚନା ଦିଆଯାଇସାରିଛି। ମୁଖ୍ୟ ଶାସନ ସଚିବ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହିତ ଯୋଗାଯୋଗରେ ରହିଛନ୍ତି। ସୋମବାର ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ।