ଓଡିଶାକୁ ବାତ୍ୟା ଆସିବା ସମ୍ଭାବନା କମ କିନ୍ତୁ ପ୍ରବଳ ବର୍ଷା ହୋଇପାରେ

ଆସନ୍ତା ୨୦ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୨ତାରିଖ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।ତେବେ ଜିଏଫ୍‌ଏସ୍‌ ମଡେଲ ଦର୍ଶାଇଛି, ୨୩ ତାରିଖ ବେଳକୁ ବାତ୍ୟା ସୃଷ୍ଟି ହୋଇ ସମୁଦ୍ରରେ ଥିବ । ୨୪ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ପାଖକୁ ଆସିବ । ବାଲେଶ୍ୱର ପାଖାପାଖି ଅଞ୍ଚଳ ଦେଇ ଅତିକ୍ରମ କରିବ । ଏହା ବାଂଲାଦେଶ ଆଡ଼କୁ ପଳାଇବ ।

ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବାତ୍ୟା ସୃଷ୍ଟି ହୋଇ ଓଡ଼ିଶା ଉପକୂଳକୁ ଆସିବ । ଏହା ଓଡ଼ିଶାରେ ମାଡ଼ ହୋଇପାରେ । ତେବେ ୨୨ ତାରିଖ ବେଳକୁ ବାତ୍ୟାର ତୀବ୍ରତାକୁ ନେଇ ଠିକ୍‌ ଆକଳନ କରିହେବ । ଇସି ଏଆଇଏଫଏସ୍‌ ମଡେଲ ବି ବାତ୍ୟାର ତୀବ୍ରତା ଓ ଗତିପଥକୁ ନେଇ ସାନି ଆକଳନ କରିଛି । ବାତ୍ୟା ସିଧାସଳଖ ଓଡ଼ିଶାରେ ମାଡ଼ ନ ହୋଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ଯିବ ବୋଲି କହିଛି । କିନ୍ତୁ ସପ୍ତାହ ଯାଏ ଲଘୁଚାପ ଓଡ଼ିଶା ଉପରେ ରହିବ । ଏହା ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।