ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି। ଶିମିଳିପାଳ ଅଭୟାରଣ୍ୟରେ

ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି। ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରୁ ମିଳିଥିବା କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି। କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ରାଜ୍ୟସଭାରେ କହିଛନ୍ତି ‘ମେଲାନିଷ୍ଟିକ’ ପ୍ରଜାତିର ଏହି ସବୁ କଳା ବାଘ କେବଳ ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ରହିଛନ୍ତି।ସେ କହିଛନ୍ତି, ୨୦୨୨ର ପାନ୍‌-ଇଣ୍ଡିଆ ବାଘ ଗଣନା ଅନୁଯାୟୀ, ଶିମିଳିପାଳ ଅଭୟାରଣ୍ୟରେ ୧୬ ବାଘ ରହିଛନ୍ତି ଯେଉଁଥିରେ ୧୦ ମେଲାନିସିମ ପ୍ରଜାତିର। ମନ୍ତ୍ରୀ ଆହୁରି କହିଛନ୍ତି ଶିମିଳିପାଳ ବାଘ ରିଜର୍ଭକୁ ଏହାର ଆନୁବଂଶିକ ଗଠନ କାରଣରୁ ଏକ ବିଶିଷ୍ଟ ସଂରକ୍ଷଣ ସମୂହ ଭାବରେ ଜଣାଯାଏ। ଗତ ୫ ବର୍ଷରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ବନ୍ୟପ୍ରାଣୀ ସଂରକ୍ଷଣ, ବାସସ୍ଥାନ ପରିଚାଳନା, ମାନବ ସମ୍ବଳ ଏବଂ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ରୀୟ ଯୋଜନାରେ ୩୨.୭୫ କୋଟି ଟଙ୍କା ଆର୍ଥତ୍କ ସହାୟତା ଯୋଗାଇ ଦିଆଯାଇଛି।

କଳାବାଘ ଉପରେ ପରିବେଶବିତ୍‌ ଉମା ରାମକ୍ରିଷ୍ଣନଙ୍କ ନେତୃତ୍ୱରେ ବେଙ୍ଗାଲୁରୁର ନ୍ୟାଶନାଲ ସେଣ୍ଟର ଫର୍‌ ବାୟୋଲୋଜିକାଲ ସାଇନ୍ସ ଛାତ୍ର ବିନୟ ସାଗର ୨୦୨୧ରେ ଏକ ଗବେଷଣା କରିଥିଲେ। ଟ୍ରାନ୍ସମେମ୍ବ୍ରେନ୍‌ ଆମିନୋପେପ୍‌ଟିଡେଜ୍‌ କ୍ୟୁ ଜିନ୍‌ର ଏକକ ମ୍ୟୁଟେଶନରୁ ବାଘର କଳା ରଙ୍ଗ ହୋଇଥିବା ସେ ଦର୍ଶାଇଥିଲେ।୨୦୦୭ ରେ ଜଙ୍ଗଲରେ ଲଗାଯାଇଥିବା ଟ୍ରାପ କ୍ୟାମେରାରେ ଏଭଳି ଏକ କଳା ମହାବଳ ବାଘର ଫଟୋ ସାମ୍ନାକୁ ଆସିଥିଲା । ସେବେ ଠାରୁ ଏହା ଉପରେ ଅନେକ ଗବେଷଣା ଜାରି ରହିଛି । ଗବେଷଣାରୁ ଜଣାପଡିଛି ଯେ ଏହା ଜନ୍ମ ସମ୍ବନ୍ଧି ଏକ ଜେନେଟିକ୍ ପରିବର୍ତ୍ତନ । ଯାହା ବାଘଙ୍କ କ୍ଷେତ୍ରରେ ସ୍ଵାଭାବିକ ଅଟେ । କେବଳ ବାଘ ନୁହନ୍ତି ହରିଣ, ଚିତାବାଘ, ବଣ ବିଲେଇ ପରି ଅନେକ ପ୍ରଜାତିର ପ୍ରାଣୀଙ୍କ କ୍ଷେତ୍ରରେ ଏହି ଜେନେଟିକ୍ ପରିବର୍ତ୍ତନ ବି ଦେଖାଯାଇଥାଏ ।