ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ବିବାଦ,ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ନେଇ ସୃଷ୍ଟି ହୋଇଥିବା ବିବାଦର ତଦନ୍ତ କରୁଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ସୋମବାର ରାଜ୍ୟ ସରକାରଙ୍କୁ ମଧ୍ୟବର୍ତ୍ତିକାଳୀନ ତଦନ୍ତ କମିଟି ରିପୋର୍ଟ ପ୍ରଦାନ କରିଛନ୍ତି। ଡଃ ପାଢ଼ୀ ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଗ୍ରହଣ ପରେ ଗଣମାଧମକୁ ସୂଚନା ଦେଇ ମନ୍ତ୍ରୀ ହରିଚନ୍ଦନ କହିଛନ୍ତି ଯେ, ଦିଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅନ୍ତରୀଣ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖା ଯାଇଥିଲା । ଆଜି ଏହାର ରିପୋର୍ଟ ଆମର ହସ୍ତଗତ ହୋଇଛି । ମହାରଣା ସେବକ, ମନ୍ଦିର ସୁରକ୍ଷା ଦାୟିତ୍ୱରେ ଥିବା ନିଯୋଗ, ଦାଇତାପତି ନିଯୋଗ ଓ ଯେଉଁମାନେ ଦିଘା ମନ୍ଦିର ଯାଇଥିଲେ ସେମାନଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିନିଦିନ ଧରି ମାରାଥନ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହା ପରେ ସମସ୍ତ ଦିଗକୁ ଅନୁଧ୍ୟାନ କରି ବିଭିନ୍ନ ପ୍ରସ୍ତାବ ଏବଂ ବିସ୍ତୃତ ରିପୋର୍ଟକୁ ରାଜ୍ୟ ସରକାରଙ୍କୁ ଦାଖଲ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ସହ ଏହି ରିପୋର୍ଟକୁ ସଂପୂର୍ଣ୍ଣ ଅନୁଧ୍ୟାନ କରାଯାଇ ଆଗାମୀ କାର୍ଯ୍ୟପନ୍ଥା ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି Iଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, କୌଣସି ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିବାରେ କିଛି ଅସୁବିଧା ନାହିଁ ତେବେ ଅନେକ ସ୍ଥାନରେ ନୀତିକାନ୍ତି ନେଇ ତାଳମେଳ ରହୁନିI ତେଣୁ ମହାପ୍ରଭୁଙ୍କ ଦୈନିଦିନ କ’ଣ କାର୍ଯ୍ୟ ରହିବ ଏ ନେଇ ଶ୍ରୀମନ୍ଦିର ପକ୍ଷରୁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଖୁବ ଶୀଘ୍ର ମାର୍ଗଦର୍ଶିକା ଜରିହେବ। ସେ କହିଛନ୍ତି ଯେ ଦେଶରେ କେବଳ ଚାରିଟି ଧାମ ରହିଛିI ତେଣୁ କେବଳ ଏହି ସ୍ଥାନ ବ୍ୟତୀତ ଅନ୍ୟ ସ୍ଥାନରେ ଧାମ ଶବ୍ଦର ନାମ ଲାଗିପାରିବ ନାହିଁ। ତେଣୁ ଦିଘାରେ “ଜଗନ୍ନାଥ ଧାମ” ବୋଲି ଯାହା ଉଲ୍ଲେଖ କରାଯାଇଛି ତାହା ଠିକ ନୁହେଁ, ଏହାକୁ ଶୀଘ୍ର ହଟାଇବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରୟାସ ଆରମ୍ଭ ହେବ।

You might also like