ଭୁବନେଶ୍ୱରରୁ ଆବୁଧାବି ସିଧାସଳଖ ବିମାନ ଉଡ଼ାଣ
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଜଧାନୀ ଆବୁଧାବିକୁ ସିଧାସଳଖ ବିମାନ ସେବା ଜୁନ୍ ୨୦୨୫ରୁ ଆରମ୍ଭ ହେବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନ ସୂଚନା ଦେଇଛନ୍ତି।କେବଳ ମଙ୍ଗଳବାର, ବୁଧବାର ଓ ଶନିବାର ଦିନ ବିମାନ ଉଡ଼ିବା ନେଇ ସୂଚନା ମିଳିଛି। ଏହା ସହିତ ଭାଇଜାଗକୁ ମଧ୍ୟ ସିଧାସଳଖ ଉଡିବ ବିମାନ। ଏନେଇ ବିମାନର ସମୟ ଧାର୍ଯ୍ୟ କରାଯାଇନାହିଁ। କେଉଁ ସମୟରେ ଉଡାଣ କରିବା ସେନେଇ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ଵର ବିମାନ ବନ୍ଦରର ନିର୍ଦେଶକ ପ୍ରସନ୍ନ ପ୍ରଧାନ। ତେବେ ଓଡ଼ିଶାକୁ ବିଶ୍ୱ ସହିତ ସଂଯୋଗ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବ। ପର୍ଯ୍ୟଟନ, ବାଣିଜ୍ୟ ଏବଂ ଏକ ବିକଶିତ ଓଡ଼ିଶା ସମ୍ଭାବନାକୁ ବୃଦ୍ଧି କରିବାରେ ସହାୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି। ଏହା ବ୍ୟତୀତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
