ମନଇଚ୍ଛା ଆଣ୍ଟିବାୟୋଟିକ୍‌ ଔଷଧ ବ୍ୟବହାର ରୋଗୀଙ୍କ ପାଇଁ ଘାତକ । 

କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍‌ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ ଏହି ସମୟରେ ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ। ଯଦି ଡାକ୍ତରଙ୍କ ପରାମର୍ଶ ଅନୁସାରେ ମେଡିସିନ ସହ ଆଣ୍ଟିବାୟୋଟିକ ଖାଉଛନ୍ତି, ତେବେ ଔଷଧ ଖାଇବା ହଠାତ୍‌ ବନ୍ଦ କରନ୍ତୁ ନାହିଁ। ଡାକ୍ତର ଯେତେଦିନ ପର୍ଯ୍ୟନ୍ତ ଖାଇବାକୁ କହିଛନ୍ତି, ସେ ପର୍ଯ୍ୟନ୍ତ ଔଷଧ ଖାଇବା ଚାଲୁ ରଖନ୍ତୁ। ସାଧାରଣ ଥଣ୍ଡା, ଜ୍ୱର ଓ କାଶରେ ଏହି ଔଷଧ ବ୍ୟବହାର କରିବା ଉଚିତ ନୁହେଁ । ତେଣୁ ଲୋକଙ୍କୁ ଏଭଳି ଔଷଧ ବ୍ୟବହାର ନକରିବାକୁ ସଚେତନ କରିବା ନିମନ୍ତେ ରାଜ୍ୟର ୩୦ ଜିଲ୍ଲାରେ ଚଳିତ ମାସ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏହାର ବ୍ୟବହାର ନେଇ ତୃଣମୂଳସ୍ତରରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ୩୦ ଜିଲ୍ଲାରେ ଡାକ୍ତରମାନେ ବିଭିନ୍ନ ବ୍ଲକ୍‌ ଓ ହସ୍ପିଟାଲ୍‌ରେ ଏହାର ବ୍ୟବହାର ଉପରେ କୁପରିଣାମ ଉପରେ ବୁଝାଉନ୍ତି । ଭୁବନେଶ୍ୱର ଏମ୍‌ସ ପ୍ରଫେସର ଡା. ରଶ୍ଚିରଞ୍ଜନ ଦାସ କହିଛନ୍ତି, ସରକାର ନିୟମ କରିଛନ୍ତି ଡାକ୍ତରଙ୍କ ଔଷଧ ଚିଠା ନଥିଲେ ଆଣ୍ଟିବାୟୋଟିକ୍‌ ଔଷଧ କେହି ଦେଇପାରିବେ ନାହିଁ । ମାତ୍ର ଏହି ନିୟମ ପାଳନ ହେଉନି । ବର୍ତ୍ତମାନ ସବୁଠାରୁ ବଡ଼ ବିପଦ ଦେଖା ଦେଉଛି ଛୋଟ ପିଲାଙ୍କ କ୍ଷେତ୍ରରେ ।

ପିତାମାତାମାନେ ଡାକ୍ତରଙ୍କ ପରାମର୍ଶ ନନେଇ ଔଷଧ ଦୋକାନରୁ ଔଷଧ ଆଣି ଶିଶୁଙ୍କୁ ଦେଉଛନ୍ତି । ତେଣୁ ବହୁ ଶିଶୁ ଗୁରୁତର ଅବସ୍ଥାରେ ଆମ ପାଖକୁ ଆସୁଛନ୍ତି । ରକ୍ତ ପରୀକ୍ଷା ବା ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ପରେ ରୋଗୀର ଅବସ୍ଥା ଦେଖି ଡାକ୍ତର ଆଣ୍ଟିବାୟୋଟିକ୍‌ ଔଷଧ ଲେଖନ୍ତି । ଏହି କ୍ଷେତ୍ରରେ ତୃଣମୂଳସ୍ତରରେ ସଚେତନତା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।

You might also like