ଭଲ ହୋଇ ଘରକୁ ଫେରିବେ ଉତ୍ତମ
ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଡା. ସ୍ମୃତି ମିଶ୍ରଙ୍କ ନେତୃତ୍ବରେ ଅଭିଜ୍ଞ ଚିକିତ୍ସକ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ତାଙ୍କ କିଡ୍ନୀ ସୁସ୍ଥ ଥିବାବେଳେ ନିମୋନିଆର ଚିକିତ୍ସା କରାଯାଉଥିବା ଡାକ୍ତର କହିଛନ୍ତି। ଆଉ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ସମେତ କୋଟି କୋଟି ପ୍ରଶଂସକ। ସେଥିପାଇଁ ତ ତାଙ୍କ ଶୁଭ ମନାସି ଜାଳିଛନ୍ତି ୧୦୮ ଦୀପ। କିପରି ଉତ୍ତମ ଶୀଘ୍ର ଭଲ ହୋଇ ଘରକୁ ଫେରିବେ ଆଉ ପୂର୍ବ ପରି ଦର୍ଶକଙ୍କୁ ସୁନ୍ଦର ସୁନ୍ଦର ଫିଲ୍ମ ଭେଟି ଦେବେ ସେନେଇ ପ୍ରାର୍ଥନା ମଧ୍ୟ କରିଛନ୍ତି।
ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଭାବେ ଉତ୍ତମ ନିଆରା ଛାପ ସୃଷ୍ଟି କରିଛନ୍ତି। ଉତ୍ତମ ଶୀଘ୍ର ସୁସ୍ଥ ହୋଇ ଫେରିବେ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି। ହସ୍ପିଟାଲରେ ଅଭିନେତା ପୁତ୍ର ବାବୁସାନ, ପୁତ୍ରବଧୂ ତୃପ୍ତି, ଅଭିନେତା ରବି ମିଶ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି।ସୂଚନାଯୋଗ୍ୟ, ଗତ ୩ଦିନ ତଳେ ଉତ୍ତମଙ୍କ ସ୍ଵାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ଵର ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ଏବେ ତାଙ୍କ ସ୍ଵାସ୍ଥ୍ୟ ସ୍ଥିର ଥିବା ନେଇ ଖବର ମିଳିଛି । ସେପଟେ ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ଓଲିଉଡ୍ ତାରକାଙ୍କ ସହ ତାଙ୍କର ପ୍ରଶଂସକମାନେ ।
