ଦ୍ଵିତୀବାହନ ଓଷା ଓ ଘାଣ୍ଟ ତିଅଣ ।।


ଓଡିଆ ସଂସ୍କୃତି ଓ ପରମ୍ପରା ର ଓଷା ମାନଙ୍କ ମଧ୍ୟରେ ଦ୍ବିତୀବାହନ ଓଷା ଅନ୍ୟତମ ଅଟେ ।ସୂର୍ଯ୍ୟ ଦେବତା ଙ୍କ ପୁତ୍ର ହେଉଛନ୍ତି ଦ୍ଵିତୀବାହନ।ଦ୍ଵିତୀବାହନଙ୍କୁ ସଧବା ମହିଳା ମାନେ ନିର୍ଜଳା ଉପବାସ ରହି ପୂଜା କରନ୍ତି। ଏହି ଓଷାର ମୂଳ ଉଦ୍ଦେଶ୍ୟ ପୁଅର ମଙ୍ଗଳ କାମନା। ଏହି ଓଷା ସହିତ ଓଡ଼ିଶାର ସଂସ୍କୃତି ପରମ୍ପରା ଜଡ଼ିତ। ସନ୍ତାନ ସନ୍ତତି ମାନଙ୍କର ମଙ୍ଗଳ କାମନା ସହିତ ଏହା ସ୍ଵାସ୍ଥ୍ୟ ସଚେତନତା ସମ୍ପର୍କିତ ବାର୍ତ୍ତା ପ୍ରଚାର କରେ।ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଓଡ଼ିଶାରେ ଏହି ସମୟରେ ପ୍ରଚୁର ପନିପରିବା ଉପଲବ୍ଧ ହୁଏ। ଝିଅ ମାନଂକ ଘରକୁ ପରିବା ଭାର ଯିବା ଆମ ଚଳଣିରେ ଏକ ଅଂଶ ଥିଲା। ଝିଅ ଘରକୁ କିଛି ପନିପରିବା ଓ ଫଳ ନେବା ସହିତ ଝିଅର ଭଲମନ୍ଦ ବାପା ଓ ଭାଇ ମାନେ ବୁଝୁଥିଲେ।ବନ୍ଧୁବାନ୍ଧବ ମାନଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ କରିବାକୁ ଏହି ପର୍ବ ସହାୟକ ହୁଏ। ଓଷା ପରଦିନ ସବୁ ପରିବା ମିଶାଇ ଘାଣ୍ଟ ପ୍ରସ୍ତୁତ ହୁଏ। ଏହି ସ୍ଵତନ୍ତ୍ର ବ୍ୟଞ୍ଜନ ଘାଣ୍ଟ କୁ ମା ଲକ୍ଷ୍ମୀ ଠାକୁରାଣୀଙ୍କୁ ଅର୍ପଣ କରିବା ବିଧି ରହିଛି।

ମାଟିଆଳୁ,ସାରୁ, ଅମୃତଭଣ୍ଡା, ପାଣି କଖାରୁ,ବୋଇତାଳୁ, ବୁଢ଼ା କାକୁଡ଼ି, ଜହ୍ନି, ସାରୁ ,କନ୍ଦମୂଳ, ବାଇଗଣ,ଓଉ, କାଙ୍କଡ଼, କଞ୍ଚାକଦଳୀ,ବିନ୍, ଗାଜର,ଗ୍ରିନ୍ ମଟର, ନଡ଼ିଆ,ମୁଗ,ସୋଲା ଇତ୍ୟାଦିରେ ଘାଣ୍ଟ ପ୍ରସ୍ତୁତ ହେବା ପରେ ଦ୍ଵିତୀବାହନଙ୍କୁ ଭୋଗ ଦେଇ ପରିବାରର ସମସ୍ତେ ଏକାଠି ବସି ଖାଆନ୍ତି। ବିଭିନ୍ନ ପରିବାର ଦ୍ଵାରା ପ୍ରସ୍ତୁତ ଘାଣ୍ଟ ବା ଘାଣ୍ଟିଆ ପରସ୍ପର ମଧ୍ୟରେ ଦେବାନେବା ଦ୍ଵାରା ପଡୋଶୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ରକ୍ଷା ହୋଇଥାଏ। ପୂର୍ବରୁ ବନ୍ଧୁବାନ୍ଧବ ମାନଙ୍କ ମଧ୍ୟରେ ଏହା ମଧ୍ୟ ବଣ୍ଟନ କରାଯାଉଥିଲା। କାଳକ୍ରମେ ଏହି ସୁସ୍ଵାଦୁ ବ୍ୟଞ୍ଜନ ପରିବାର ମଧ୍ୟରେ ସୀମିତ ହୋଇଯାଉଛି।


ଘାଣ୍ଟରେ ବ୍ୟବହୃତ ପନିପରିବାରେ ଭିଟାମିନ A,B1,B6,C,Fe,Zn,K,Mg,Cu ,ଫାଇଵର ସହିତ ଅନେକ ପୋଷକ ତତ୍ତ୍ଵ ରହିଛି। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଅବସାଦରୁ ରକ୍ଷା କରେ। ଏହାବ୍ୟତୀତ ମାଟିଆଳୁ ବା ଖମ୍ଵ ଆଳୁ, କନ୍ଦମୂଳରେ କାର୍ବୋହାଇଡ୍ରେଟ ଅଧିକ ଥିବାରୁ ମଧୁମେହ ରୋଗୀମାନଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ଏହା ଭଲ ପରିବା।
ପନିପରିବା ପ୍ରତି ଆଗ୍ରହ ସୃଷ୍ଟି ଓ ସ୍ଵାସ୍ଥ୍ୟ ସଚେତନତାର ବାର୍ତ୍ତା ବହନ କରି ଏହି ସୁସ୍ଵାଦୁ ବ୍ୟଞ୍ଜନ ଘାଣ୍ଟ ଆମ ସଂସ୍କୃତିର ଏକ ମହାନ ଉଦ୍ଦେଶ୍ୟ କୁ ପ୍ରତିପାଦିତ କରେ। ଏହାବ୍ୟତୀତ ଓଡ଼ିଶାର ଲୋକମାନେ ଡାଲମା, ଘାଣ୍ଟ, ଛେନାପୋଡ଼, ଛେନା ମୁଡୁକି, ପାଳୁଅ ଲଡୁ,ଗଜା, ମୁଢ଼ି, ପଖାଳ, ରସାବଳି କୁ ନେଇ ଗର୍ବ ଅନୁଭବ କରନ୍ତି।।
ଆଲେଖ୍ୟ::
ବାବାଜୀ ଚରଣ ଦାସ,
କୋକିଳା ଗ୍ରୀନ ଆପାର୍ଟମେଣ୍ଟ,
ପଞ୍ଚସଖା ନଗର, ଡୁମୁଡୁମା, ଭୁବନେଶ୍ବର।