ଶ୍ରୀମଦ ଭାଗବତ ଗୀତା ର ଅର୍ଥ କଣ??

ଶ୍ରୀମଦ୍ଭଗବତ୍ ଗୀତାର ଅର୍ଥ ହେଉଛି ସାକ୍ଷାତ ଭଗବାନଙ୍କ ଦ୍ୱାରା କଥିତ ବଚନ ସମୂହର କାବ୍ୟିକ ସଂକଳନ । କେହି କେହି ଏହାର ଅର୍ଥ ସାକ୍ଷାତ ଭଗବାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଗୀତ ବୋଲି କୁହନ୍ତି । ଭଗବାନଙ୍କ କଥିତ ବାଣୀ ପରମଶାନ୍ତି ଓ ଆନନ୍ଦ ପ୍ରଦାୟକ ହୋଇଥିବାରୁ ଏହାକୁ ଦିବ୍ୟ-ଗୀତ ବୋଲି ମଧ୍ୟ କହିଥାନ୍ତି ।

ସାଧାରଣତଃ ଭାରତର ପୁରାଣ ଶାସ୍ତ୍ରାଦି ସମ୍ବାଦ ଶୈଳୀରେ ରଚିତ ।ଗୀତାର ସଙ୍କଳକ ଭଗବାନ ବେଦବ୍ୟାସ ଈଶ୍ୱରୀୟ ବାଣୀକୁ ‘ଶ୍ରୀମଦ୍ଭଗବଦ୍ ଗୀତା’ ନାମରେ ନାମିତକରି ପରବର୍ତୀ ସମୟରେ ସ୍ବୀୟ ରଚିତ ମହାଭାରତର ଭୀଷ୍ମ ପର୍ବରେ ଏହାକୁ ସଂଯୋଜିତ କରିଛନ୍ତି । ଏଥିରେ ୨୫ଶ ଅଧ୍ୟାୟରୁ ୪୨ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀ କୃଷ୍ଣାର୍ଜୁନ ସମ୍ବାଦରେ ପରିବେଷିତ ଗୀତା ଆଜିଏକ ସ୍ବତନ୍ତ୍ର ଗ୍ରନ୍ଥଭାବରେ ଆମ ପାଖରେ ଉପଲବ୍ଧ ।

ଶ୍ରୀମଦ୍ ଭଗବତ୍ ଗୀତା ଏକ ପରମ ରହସ୍ୟମୟ ଗ୍ରନ୍ଥ । ପ୍ରାଚୀନ ମହର୍ଷିମାନଙ୍କଠାରୁ ଆରମ୍ଭ କରି ଆଧୁନିକ ଭାଷ୍ୟକାରମାନଙ୍କ ପର୍ଯ୍ୟନ୍ତ ଏଯାବତ୍ କେହି ଏହି କ୍ଷୁଦ୍ରକାୟ ବିଶିଷ୍ଟ ଗୀତାର ମହତ୍ୱ ବର୍ଣ୍ଣନା କରିବା ପାଇଁ ସମ୍ପୁର୍ଣ୍ଣ ଭାବରେ ସକ୍ଷମ ହୋଇପାରି ନାହାନ୍ତି । ବିଦ୍ୱାନମାନଙ୍କ ମତରେ ଏହା ସର୍ବ ଶାସ୍ତ୍ରମୟୀ ଓ ସର୍ବଶାସ୍ତ୍ର ଶିରୋମଣି । ସ୍ବୟଂ ଗୀତାର ସଂକଳକ ମହର୍ଷି ବେଦବ୍ୟାସ ମହାଭାରତରେ ଗୀତାର ମହତ୍ୱ ଦର୍ଶାଇବାକୁ ଯାଇ କହିଛନ୍ତି,
ଗୀତା ସୁଗୀତା କର୍ତ୍ତର୍ବ୍ୟା
କିମନୈଃ ଶାସ୍ତ୍ର ବିସ୍ତାରୋୖ ।
ଯା ସ୍ବୟଂ ପଦ୍ମନାଭସ୍ୟ
ମୁଖ ପଦ୍ମାତ୍ ବିନଃ ସୃତା ।ା
(ମହାଭାରତ ଭୀଷ୍ମ-୪୩/୧)
(ଅର୍ଥ : ସାକ୍ଷାତ୍ ଭଗବାନଙ୍କ ମୁଖ କମଳରୁ ନିଃସୃତ ଗୀତାକୁ ଉତ୍ତମ ରୂପେ ପଠନ କରିବା ଉଚିତ; ଅନ୍ୟଶାସ୍ତ୍ର ସଂଗ୍ରହ କରିବା କି ଦରକାର?)

ଶ୍ରୀମଦଭଗବତଗୀତା ବା ଗୀତା ହେଉଛି ମହାଭାରତର ଅଂଶ । ଶ୍ରୀ ବ୍ୟାସଦେବ ହେଉଛନ୍ତି ଏହାର ସଙ୍କଳନ କର୍ତ୍ତା ।ଶ୍ରୀକୃଷ୍ଣ ନିଜ ଉପଦେଶର ଅଧିକାଂଶ ଶ୍ଲୋକରେ ହିଁ କହିଥିଲେ ବ୍ୟାସଦେବ ତାହା ଅବିକଳ ଲିପିବଦ୍ଧ କରିଛନ୍ତି । ଯେଉଁ ଅଂଶ ସେ ଗଦ୍ୟରେ କହିଥିଲେ, ତାହା ବ୍ୟାସଦେବ ନିଜେ ଶ୍ଳୋକବଦ୍ଧ କରିଦେଇଛନ୍ତି; ତା ସଙ୍ଗେସଙ୍ଗେ ସେ ଅର୍ଜୁନ, ସଞ୍ଜୟ ଏବଂ ଧୃତରାଷ୍ଟ୍ରଙ୍କ ବଚନକୁ ମଧ୍ୟ ନିଜଭାଷାରେ ଶ୍ଳୋକବଦ୍ଧ କରିଛନ୍ତି । ଗୀତାରେ ପ୍ରକୃତ ଶ୍ରୀକୃଷ୍ଣ କଥିତ ଶ୍ଳୋକସଂଖ୍ୟା ୬୨୦, ଅର୍ଜୁନ କଥିତ ଶ୍ଳୋକ ସଂଖ୍ୟା ୫୭, ସଞ୍ଜୟ କଥିତ ଶ୍ଳୋକସଂଖ୍ୟା ହେଉଛି ୬୭ ଏବଂ ଧୃତ- ରାଷ୍ଟ୍ରଙ୍କ ଦ୍ୱାରା ଗୋଟିଏ ଶ୍ଳୋକ କଥିତ । ଏହି ୭୪୫ଶ୍ଳୋକରେ ସମ୍ପୂର୍ଣ୍ଣ ହୋଇଥିବା ଗୀତା ଗ୍ରନ୍ଥକୁ ଅଠର ଅଧ୍ୟାୟରେ ବିଭକ୍ତ କରି ମହାଭାରତର ଅଂଶଭାବେ ଯୋଗ କରିଛନ୍ତି