ଆଜି ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ।

ଅଣସର ଘରେ ଥିବା ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ଉପଚାର । ଅନବସରର ଷଷ୍ଠୀ ଅବସରରେ ଆଜି ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଏହି ଓସ୍ୱକୁ ମଧ୍ୟାହ୍ନ ଧୂପ ପରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରିଥାନ୍ତି । ଯାହା ଫଳରେ ମହାପ୍ରଭୁ ସୁସ୍ଥ ଅନୁଭବ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏହି ଓସ୍ୱ ଲାଗି ସେବା ଷଷ୍ଠିଠାରୁ ଆରମ୍ଭ ହୋଇ ନବମୀ ତିଥି ପର୍ଯ୍ୟନ୍ତ ଚାରିଦିନ ଧରି ଚାଲିବ ।ପରମ୍ପରା ଅନୁଯାୟୀ, ଗତକାଲି ଅନବସର ପଞ୍ଚମୀ ତିଥିରେ ଅଣସରରେ ଥିବା ଶ୍ରୀବିଗ୍ରହମାନଙ୍କୁ ଜଡିବୁଟିଯୁକ୍ତ ଔଷଧୀୟ ଫୁଲୁରି ତେଲ ଲାଗି ହୋଇଛି । ପରେ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେବେ । ଏନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ବତନ୍ତ୍ର ଶୈଳୀରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଥିଲା । ଗତକାଲି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ପରମ୍ପରା ମୁତାବକ ବଡ ଓଡ଼ିଆ ମଠକୁ ଶ୍ରୀମନ୍ଦିର ପକ୍ଷରୁ ଫୁଲୁରି ତେଲ ବିଜେ ପାଇଁ ଖବର ଯାଇଥିଲା । ଏହାପରେ ବଡ଼ ଓଡ଼ିଆ ମଠ ମହନ୍ତ ଓ ଅନ୍ୟ ସାଧୁସନ୍ଥମାନେ ଶୋଭାଯାତ୍ରାରେ ଫୁଲୁରି ତେଲକୁ ଶ୍ରୀମନ୍ଦିରକୁ ବିଜେ କରିଥିଲେ । ଶ୍ରୀଜିଉଙ୍କ ପାଇଁ ୩ଟି ମାଟି ଘଡ଼ିରେ ଫୁଲୁରି ତେଲ ବିଜେ କରାଯାଇଥିଲା । ଜ୍ବର ପୀଡ଼ିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ଦରଜ ଭାଙ୍ଗିବା ପାଇଁ ତୈଳ ମର୍ଦ୍ଦନର ଏହି ପରମ୍ପରା ରହି ଆସିଛି ।

You might also like